ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସବୁକାମକୁ ଠିକ୍ ଭାବରେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ରଘୁନନ୍ଦନ ଦାସ
ଭୁବନେଶ୍ୱର,(ନିରପେକ୍ଷ ଖବର):୨୮/୮/୧୯: ସ୍ଥାନୀୟ ରାଜୀବ ଭବନଠାରେ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜଳ ସଂପଦ ବିଭାଗୀୟ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଜଳ ସେଚନ ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ଆର୍ଥିକ ବ୍ୟବସ୍ଥା ରହିଛି ଓ ଏହା ଶେଷ କରିବାର ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ନକଲେ ତାହାର ଖର୍ଚ୍ଚ ପରିମାଣ ବଢ଼ିଯିବ। ତେଣୁ ଏହି ପ୍ରକଳ୍ପର ସ୍ୱଚ୍ଛତା ବଜାୟ ରଖି, ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟମଧ୍ୟରେ ଶେଷ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ସମୀକ୍ଷା ବୈଠକରେ ରାଜ୍ୟରେ ପ୍ରସ୍ତାବିତ ଏବଂ କାର୍ଯ୍ୟକାରୀହେବାକୁ ଥିବା ବିଭିନ୍ନ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକର ସ୍ଥିତି ଓ ଅଗ୍ରଗତି ସଂପର୍କରେ ଜଳସଂପଦ ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ମନ୍ତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଏଲ୍.ସି.ଡି ପ୍ରୋଜେକ୍ଟର ସାହାଯ୍ୟରେ ଅବଗତ କରାଇଥିଲେ । ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ଜାଣି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିଲେ ଯେ, ବିଭାଗୀୟ ଯନ୍ତ୍ରୀମାନେ ଭଲକାମ କରୁଛନ୍ତି । କିନ୍ତୁ ଧାର୍ଯ୍ୟ ମୁତାବକ କାମ କରିବାକୁ ହେଲେ ସେମାନଙ୍କୁ ଅଧିକ କ୍ରିୟାଶୀଳ ହୋଇ ପ୍ରକଳ୍ପକାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ସେ ଯନ୍ତ୍ରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ବୈଠକରେ ସୁବର୍ଣ୍ଣରେଖା, ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ, ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲ, ରେଙ୍ଗାଲି ବାମ ପାଶ୍ୱର୍ କେନାଲ, ଆନନ୍ଦପୁର , କାନୁପୁର, ଲୋୟର ଶୁକତେଲ ଆଦି ବୃହତ୍ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ଏହି ସବୁ ପ୍ରକଳ୍ପଗୁଡିକ ମଧ୍ୟରୁ କେତେକ ୨୦୧୯ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବାକୁ ଥିବା ବେଳେ ଆଉ କେତେକ ୨-୩ ବର୍ଷ ମଧ୍ୟରେ ଓ ବାକିଗୁଡିକ ୨୦୨୪ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ପ୍ରକଳ୍ପ କାର୍ଯ୍ୟକାରିତାରେ ପରିବେଶ ମଂଜୁରୀ, ବିସ୍ଥାପନ ସମସ୍ୟା ଆଦିକୁ ସମାଧାନ କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଯୋଗଦେଇଥିବା ସଂପୃକ୍ତ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀମାନେ ଯୋଗଦେଇତ ପ୍ରକଳ୍ପ କାରିତାରେ ସମସ୍ୟା ଓ ସେସବୁର ସମାଧାନ ନିମନ୍ତେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । ସଂପୃକ୍ତ ପ୍ରକଳ୍ପର ଯନ୍ତ୍ରୀମାନେ ପ୍ରକଳ୍ପ କାର୍ଯ୍ୟକାରୀ କଲାବେଳେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପରାମର୍ଶ କରି କାର୍ଯ୍ୟକଲେ ବହୁ ସ୍ଥାନୀୟ ସମସ୍ୟା ଦୂର କରାଯାଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ନୂତନ ପ୍ରକଳ୍ପ ପ୍ରସ୍ତୁତି ସମୟରେ ଯନ୍ତ୍ରୀମାନେ ଠିକ୍ ଭାବେ କ୍ଷେତ୍ର ପରିଦର୍ଶନ କରି ଏବଂ ବୈଷିୟିକ କମିଟି ସହିତ ପରାମର୍ଶ କରି ଖର୍ଚ୍ଚ ଆକଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ସବୁ ପ୍ରକାର ଆହ୍ୱାନକୁ ସମ୍ମୁଖୀନ ହୋଇ ଚାଷୀ ଓ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଯନ୍ତ୍ରୀମାନେ ଆନ୍ତରିକ ପ୍ରଚେଷ୍ଟା କରି ପ୍ରକଳ୍ପ ସବୁକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ମଧ୍ୟମ ଜଳ ସେଚନ ମଧ୍ୟରେ ଦେଓ, ମଂଜୋର,ଏମ୍.ସି.ଆଇ.ଆଇ., ମହେନ୍ଦ୍ର ତନୟା, ହାଡୁଆ, ରାଜୁଆ, ଘଟକେଶ୍ୱର ଆଦି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ସେହିପରି ଓଙ୍ଗଡ୍ୟାମ, କୁସୁମୀ, ସାନ୍ଦୁଲ ବ୍ୟାରେଜ(କଳାହାଣ୍ଡି), ସୋନ ବ୍ୟାରେଜ୍ ,ମୟୂରଭଂଜ, ତୂରୀ-ଗୁନ୍ତାତ୍(ନବରଂଗପୁର) ଆଦି ଜଳସେଚନ ପ୍ରକଳ୍ପର ଅଗ୍ରଗତି, ଜିରା ଡ୍ୟାମ,ରାଂଜୋର ଡ୍ୟାମ (ବରଗଡ), ଉପର ଲାନ୍ଥ(ବଲାଙ୍ଗୀର), ବୃତାଙ୍ଗ(ନୟାଗଡ),ଅହିରାଯୋର(ଝାରସୁଗୁଡା) ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ପାର୍ବତୀଗିରି ଉଠାଜଳ ସେଚନ ପ୍ରକଳ୍ପ ଯୋଜନାରେ ବିଭିନ୍ନ ସ୍ଥାନରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ, ଗଙ୍ଗାଧର ମେହେର ଜଳ ସେଚନ ଯୋଜନାରେ ବରଗଡ ଜିଲ୍ଲାର ବିଜେପୁର, ବରପାଲି ଆଦି ଅଂଚଳର ୩୨ ହଜାର ହେକ୍ଟର ଚାଷ ଜମିକୁ ଅତିରିକ୍ତ ଜଳ ସେଚନ ମିଳିପାରିବା ସମ୍ପର୍କରେ ବିଶଦ୍ କାର୍ଯ୍ୟ ଯୋଜନା ସଂପର୍କରେ ମନ୍ତ୍ରୀ ଅବଗତ ହୋଇ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସେଚନ ବିଭାଗ ଭି.ଗଗନ, ସ୍ୱତନ୍ତ୍ର ଶାସନ ସଚିବ ଏ.ପଟ୍ଟନାୟକ,. ପ୍ରଦୀପ କୁମାର ଦାସ, ଉପଦେଷ୍ଟା ଏସ୍. କେ. ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଏ.କେ.ବାନାର୍ଜୀଙ୍କ ସମେତ ଜଳସଂପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।