ଗାଡି ଚାଳକଙ୍କ ଠାରୁ ଫାଇନ୍ ଆଦାୟ ପାଇଁ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ ନବୀନ…
ବେପରୁଆ ଭାବେ ଗାଡ଼ି ନ ଚଳାଇବାକୁ ଅନୁରୋଧ..
ଭୁବନେଶ୍ୱର, (ନିରପେକ୍ଷ ଖବର),୦୯/୦୯: ଗାଡି ଚାଳକଙ୍କ ଦୁଃଖ ବୁଝିପାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇନ୍ ଆଦାୟ ପାଇଁ ଗାଡି ଚାଳକଙ୍କୁ ୩ ମାସ ସମୟ ଦେଲେ ନବୀନ। ଏହି ତିନି ମାସ ଭିତରେ ଗାଡି ଓ ଚାଳକଙ୍କର ସମସ୍ତ କାଗଜପତ୍ର ଠିକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବେପରୁଆ ଭାବେ ଗାଡି ନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ସାଧାରଣ ଜନତା। ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର । ପୁଣି ସୋମବାର ଦିନ ଗାଡି ଚାଳକଙ୍କ ପାଇଁ ଆଉ ଗୋଟିଏ ବଡ ଆଶ୍ୱସ୍ତିକର ଖବର ଆଣିଦେଇଛି। ନୂଆ ଟ୍ରାଫିକ୍ ନିୟମକୁ ନେଇ ଏବେ ବଡ ଘୋଷଣା କରିଛନ୍ତି ସରକାର। ଗାଡି ମାଲିକ ଓ ଚାଳକଙ୍କର ସମସ୍ତ କାଗଜପତ୍ର ଠିକ କରିବାକୁ ସେ ତିନି ମାସ ସମୟ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କା ଫାଇନ୍ ପଡିବା ଏବଂ ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜଣେ ବାଇକ ମାଲିକଙ୍କ ଉପରେ ୨୭ହଜାର ୫୦୦ତାଙ୍କ ଫାଇନ ହେବା ପରେ ଜନଆକ୍ରୋଶ ଜୋର ଧରିଥିଲା । ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ରାଜଧାନୀର ରାଜମହଲ ଛକରେ । ପୋଲିସ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ସହ ରାଜମହଲ ଛକରେ ରଣକ୍ଷେତ୍ର ପରେ ଶେଷରେ ନିୟମ କୋହଳ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।