ଭୁବନେଶ୍ୱର, ନିରପେକ୍ଷ ଖବର:୦୧/୧୦/୨୦୧୯ କମିଶନରେଟ୍ ପୋଲିସ୍ ‘‘ଶଙ୍ଖଧ୍ୱନି ରାଷ୍ଟ୍ର ସୁରକ୍ଷା ସମିତି”ର ସେକ୍ରେଟାରୀ ଶ୍ରୀ ପ୍ରକାଶ କୁମାର ମହାପାତ୍ର , ଶ୍ରୀ ସନ୍ଦୀପ ମହାପାତ୍ର ଏବଂ ଶ୍ରୀ ଜଲିଲ୍ ଖାଁ ଙ୍କ ସହାୟତାରେ ‘ସଡକ ସୁରକ୍ଷା ଏବଂ ଟ୍ରାଫିକ ସଚେତନତା’ ସଂପର୍କିତ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବାକୁ ସଂଗୀତ ଭିତିକ ଏକାଙ୍କିକା ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ , ଆଇ.ପି.ଏସ୍ . ସୈନିକସ୍କୁଲ କ୍ୟାଡେଟ ମାନଙ୍କୁ ଟ୍ରାଫିକ ନିୟମର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ଆଜିର ଦ୍ରୁତ ପରିବର୍ତନଶୀଳ ସମାଜରେ ନିଜ ଜୀବନରେ ଅଧିକରୁ ଅଧିକ ଶିଖିବାର ପ୍ରବୃତି ପୋଷଣ କରିବାକୁ ପ୍ରବର୍ତାଇ ଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦୦ କ୍ୟାଡେଟଙ୍କ ସହିତ ଯୋଗ ଦେଇଥିବା ସମସ୍ତ କର୍ମଚାରୀଙ୍କୁ ତାଙ୍କ ଭାଷଣ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା । ମିସ୍ ସାଗରିକା ନାଥ , ଆଇ.ପି.ଏସ୍ ,ଡି.ସି.ପି., ଟ୍ରାଫିକ – ଟ୍ରାଫିକ ନିୟମ ପାଳନ କରି କିପରି ଦୁର୍ଘଟଣାକୁ ଏଡେଇ ଦେଇହେବ , ସେ ବିଷୟରେ ବୁଝାଇଥିଲେ ।ତାଙ୍କ ସହିତ, ଡେପୁଟି ଡି.ସି.ପି. ଶ୍ରୀ ଅମରେଶ ପଣ୍ଡା, କ୍ୟାପିଟାଲ ଟ୍ରାଫିକ ଏ.ସି.ପି . ଡକ୍ଟର କେ.କେ.ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଡୋମିନିକ୍ ରାୟନ୍ , କମାଣ୍ଡର ପ୍ରୀତିକା ଶର୍ମା , ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ , ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ , ବିଦ୍ୟାଳୟର କର୍ମଚାରୀବୃନ୍ଦ ଏବଂ କ୍ୟାଡେଟମାନେ ଯୋଗ ଦେଇଥିଲେ ।