ବାରିପଦା(ନିରପେକ୍ଷ ଖବର)ତା:୨୭/ଅକ୍ଟୋବର/୨୦୧୯- ପ୍ରଭୁ ଶ୍ରୀରାମଚନ୍ଦ୍ର ସ୍ୱର୍ଣ୍ଣଲଙ୍କାରୁ ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରି ଅଯୋଧ୍ୟାକୁ ଆସିଥିଲେ। ମାତା ସୀତା ଅଯୋଧ୍ୟାରେ ପହଂଚିବା ପରେ ସମଗ୍ର ଅଯୋଧ୍ୟାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ବିଜୟ ଦିବସକୁ ପାଳିବା ପାଇଁ ସମସ୍ତେ ଖୁସିରେ ଦୀପ ଜାଳି ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ସୀତା ମାତା ଙ୍କୁ ସ୍ୱାଗତ କରିଥିଲେ।
ସେହିଦିନଠାରୁ ଏହି ଦିବସକୁ ସମଗ୍ର ଭାରତ ବର୍ଷରେ ଆଲୋକର ପର୍ବ ଦୀପାବଳି ଭାବେ ପାଳନ କରାଯାଉଛି। ପୁଣି ଥରେ ରାତି ପାହିଲେ ସେହି ଆଲୋକର ପର୍ବ ପବିତ୍ର ଦୀପାବଳି ଆସି ପହଁଚି ଯାଇଛି। ଅମାବାସ୍ୟାର ଅନ୍ଧକାର ରାତିକୁ ଆଲୋକମାଳାରେ ସଜେଇ ଦେବ। ମାନବ ଭିତରେ ଥିବା ଲୋଭ, ପାପ, ମୋହ, ଅହଂକାର ରୂପି ରାକ୍ଷାସକୁ ଜଳିପୋଡି ପାଉଁଶ କରିଦେବ। କାହିଁ କେଉଁ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଏହି ଦୀପାବଳି ଉତ୍ସବକୁ ମୟୁରଭଞ୍ଜ ଜିଲ୍ଲା ସମତେ ସାରା ଭାରତ ବର୍ଷରେ ପାଳନ କରାଯାଉଛି। ଏହି ଦୀପାବଳି ଉତ୍ସବରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ତାଙ୍କ ଆତ୍ମାକୁ ମୁକ୍ତି ମିଳିବା ସହିତ ଆମେ କୋଟି ପୁଣ୍ୟ ଅର୍ଜନ କରନ୍ତି। ହେଲେ ଏବେ ଆଧୁନିକ ସମାଜରେ ଆଜି ନିଜର ପରିଚୟ ହରାଇବାକୁ ଯାଉଛି ଅନ୍ଧକାର ରାତିକୁ ଆଲୋକରେ ସୁସଜିତ କରୁଥିବା ଏହି ମାଟି ଦୀପ। କୌଳିକ ବୃତ୍ତି ହରାଉଛନ୍ତି ଦୀପ କାରିଗର ।
ବଜାରର ଚାଇନା ଦୀପ ଏବଂ ପ୍ଲାଷ୍ଟିକ୍ ଦୀପର ବହୁଳ ବ୍ୟବହାର ହେଉଥିବା ବେଳେ ଏବେ ଦୀପ କାରିଗରଙ୍କ ଜୀବନ ଅନ୍ଧକାରଛନ୍ନ ହେବାକୁ ବସିଛି। ଆଉ ମାତ୍ର କେଇ ମୁର୍ହୂତ ପରେ ଆଲୋକର ପର୍ବ ଦୀପାବଳୀ ଆସୁଛି। ପୂର୍ବରୁ ଆଲୋକର ପର୍ବ ଦୀପାବଳୀରେ ଦୀପର ରହିଥାଏ ନିଆରା ଚାହିଦା । ଏହି ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭାର ପରିବାର ମାଟି ଦୀପ ଏବଂ ବିଭିନ୍ନ ସାମଗ୍ରୀ ତିଆରି କରି ସଜେଇ ରଖିଛନ୍ତି। ମାତ୍ର ବଜାରକୁ ଚାଇନା ଦୀପ ଓ ବିଭିନ୍ନ ପ୍ରକାରର ଆଧୁନିକ ମହମବତୀ ଆସିବା ପରେ ଏହି ମାଟି ଦୀପର ଆଦର କମିବାରେ ଲାଗିଛି। ଫଳରେ ମାଟିରେ ଦୀପ ତିଆରି କରି ନିଜର କୌଳିକ ବୃତିକୁ ପାଥେୟ କରି ପରିବାର ପୋଷୁଥିବା କାରିଗରମାନେ ଏବେ ଚିନ୍ତାରେ।କାହିଁ କେଉଁ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଦୀପର ରହିଛି ସ୍ୱତନ୍ତ୍ର ପରିଚୟ । ତେବେ ପୂଜାପର୍ବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଓଡ଼ିଆ ଘରେ ଏହି ମାଟି ଦୀପର ଖୋଜା ପଡିଥାଏ । କିନ୍ତୁ ଏବେ ସେସବୁ ଆଉ ଦେଖାଯାଉନି। ଆଧୁନିକ ସମାଜରେ ଆମେ ନିଜକୁ ନିଜେ ହଜାଇ ଦେଇ ପୁରୁଣା ସଂସ୍କୃତି ଓ ପରମ୍ପରାକୁ ଭୁଲିବାକୁ ବସିଛେ।