‘ସର୍ବସାଧାରଣ’ଖବରକାଗଜ ବାର୍ଷିକ ଉତ୍ସବ….
*ଖବରକାଗଜର ପ୍ରଥମ ପୃଷ୍ଠାରେ ସକରାତ୍ମକ ସମ୍ବାଦ ପ୍ରକାଶ ପାଉ ଯେପରି ଖବରରେ ସାରା ବିଶ୍ୱ ଝଙ୍କୃତ ହେବ ।
ଭୁବନେଶ୍ୱର,ନିରପେକ୍ଷ ଖବର:୨୮/୧୧/୨୦୧୯ ଆଜି ‘ସର୍ବସାଧାରଣ’ଖବରକାଗଜର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ର. ଗଣେଶୀଲାଲ ଏପରି ବକ୍ତବ୍ୟ ପ୍ରଦାନ କରିଛନ୍ତି । ‘ସର୍ବସାଧାରଣ’ କାର୍ଯର୍୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି, ବର୍ତ୍ତମାନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଖବର ସହିତ ହତ୍ୟା ଓ ଅପରାଧ ଭଳି ଖବର ମୁଖ୍ୟ ଖବର ଭାବେ ସ୍ଥାନ ପାଉଛି । ମାତ୍ର ପ୍ରଥମ ପୃଷ୍ଠାରେ ଦେଶ ପାଇଁ ଜୀବନ ଦେଉଥିବା ସୈନିକର ଖବର ପ୍ରକାଶ ପାଇବା ଆବଶ୍ୟକ । ଅମୃତର ସନ୍ଧାନରେ ପାଗଳ ହୋଇ ତାହାକୁ ଅନ୍ୱେଷଣ କରୁଥିବା ମଣିଷର ଖବର ପ୍ରକାଶ ପାଇବା ଆବଶ୍ୟକ । ସର୍ବୋପରି ଖବରକାଗଜର ପ୍ରଥମ ପୃଷ୍ଠାରେ ସର୍ବସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ଖବର ପ୍ରକାଶ ପାଇବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି । ‘ସର୍ବସାଧାରଣ’ର ନାମକରଣରୁ ନେଇ ମୋର ମନେ ହୁଏ ଯେ, ଦୀପ ଯେପରି ନିଜର ଆଲୋକ ଦ୍ୱାରା ଅନ୍ଧାରକୁ ଦୂରୀଭୂତ କରିଥାଏ, ସେପରି ସର୍ବସାଧାରଣ ସମାଜର ଅନ୍ଧାକାରକୁ ଦୂର କରିବ । ସମ୍ବାଦପତ୍ରର ବାର୍ତ୍ତା ସାରା ବ୍ରହ୍ମାଣ୍ଡରେ ପ୍ରସାରିତ ହୁଏ । ସେପରି ‘ସର୍ବସାଧାରଣ’ ନିଜର ପୃଷ୍ଠାରେ ଏ ମାଟିର ପ୍ରତିଟି ଧୂଳିକଣାକୁ ଧରି ରଖୁ ବୋଲି ରାଜ୍ୟପାଳ କହିଥିଲେ । ସେ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କ ସମ୍ବିଧାନରୁ କୌଣସି କଥା ଅଲଗା ହୋଇନଥାଏ । ଉକ୍ରଳ ଭୂମି କ୍ଷମାମୟ. ବାତ୍ସଲ୍ୟମୟୀ । ଡବ୍ଲ୍ୟୁ, ଡବ୍ଲ୍ୟୁ ହଣ୍ଟର୍ ଏହା କହିଛନ୍ତି । ଓଡ଼ିଶାରେ ଭାଗବତ ଟୁଙ୍ଗୀ ରହିଛି । କବି ଜୟଦେବଙ୍କ ଶ୍ଲୋକ ଆଧାରରେ ଉକ୍ରଳ ପ୍ରଦେଶର ମହାନତା ବର୍ଣ୍ଣନା କରି ରାଜ୍ୟପାଳ ପ୍ର. ଗଣେଶୀଲାଲ୍ ରାଜ୍ୟର ବିକାଶରେ ‘ସର୍ବସାଧାରଣ’ ଖବରକାଗଜ ଭୂମିକା ରହୁ ବୋଲି କାମନା କରିଥିଲେ ।ସମ୍ମାନିତ ଅତିଥି ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ହେଉଛି ଚତୁର୍ଥସ୍ତମ୍ବ । ଏଥିରେ କୌଣସି ଲକ୍ଷ୍ମଣରେଖା ନାହିଁ । ଲକ୍ଷ୍ମଣରେଖା ନଥିଲେ ମଧ୍ୟ ଏହା ସବୁଠାରୁ କଠିନ କାର୍ଯ୍ୟ । ସାମାଜିକ ଅଙ୍ଗୀକାରବଦ୍ଧତା ନେଇ ସାମ୍ବାଦିକ କାର୍ଯ୍ୟ କରିବା ଆବଶ୍ୟକ । ୨୦୧୧ରୁ ୨୦୧୯ ମଧ୍ୟରେ ପ୍ରକାଶ ପାଇଁ ପାଠକୀୟ ଆଦୃତି ଲାଭ କରିଥିବା ‘ସର୍ବସାଧାରଣ’ ସମ୍ବାଦପତ୍ର ସାଧାରଣ ଲୋକର ଦୁଃଖ ଓ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି । ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ ରଖି ଭବିଷ୍ୟତରେ ଏହା ଆହୁରି ସଫଳତା ଅର୍ଜନ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିଥିଲେ । ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ, ଗଣମାଧ୍ୟମର ସ୍ୱାଧୀନତା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ । ଚତୁର୍ଥ ସ୍ତମ୍ବ ବୋଲି ସ୍ପଷ୍ଟ ଭାବେ କିଛି ଉଲ୍ଲେଖ ନାହିଁ । ପାଠକୀୟ ଶ୍ରଦ୍ଧା ଓ ବିଶ୍ୱସନୀୟତାକୁ ଆଧାର କରି ଖବରକାଗଜଟିଏ ଆଗକୁ ବଢ଼ିଥାଏ । ୨୦୧୯ର ଏକ ସମୀକ୍ଷା ରିପୋର୍ଟ ଅନୁଯାୟୀ, ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କରେ ୧୮୦ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧୪୦ରେ ରହିଛି । ଗଣମାଧ୍ୟମର ସହାୟକ ଭୂମିକାରେ ଏବେ ସାମାଜିକ ଗଣମାଧ୍ୟମ ଉଭା ହୋଇଛି । ରାଜଧାନୀରେ ବସି ଆମେ ଯେଉଁ ସମ୍ବାଦ ଲେଖୁଛୁ, ତାହା ଶେଷ ଓ ମୂଳ ସମ୍ବାଦ ନୁହେଁ । ସମାଜର ତଳ ସ୍ତରରୁ ଯେଉଁ ସମ୍ବାଦ ଆସିଥାଏ, ସେଥିରୁ ମୁଖ୍ୟ ସମ୍ବାଦ ସୃଷ୍ଟି ହୋଇଥାଏ । ତେବେ ଗଣମାଧ୍ୟମ କେବେ ପରାସ୍ତ ହୁଏନାହିଁ ଓ ସତ୍ୟର ସନ୍ଧାନରେ ରହିଥାଏ ବୋଲି ‘ସମାଜ’ର ସମ୍ପାଦକ ଶ୍ରୀ ତ୍ରିପାଠୀ କହିଥିଲେ । ‘ସର୍ବସାଧାରଣ’ର ସମ୍ପାଦକ ଡ. ହରପ୍ରସାଦ ପରିଛା ପଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ସମ୍ପାଦକର ସ୍ୱପ୍ନ କେବେ ହେଲେ ସାର୍ଥକ ହୁଏ ନାହିଁ । ସତ୍ୟକୁ ନେଇ ସେ ସ୍ଥିତାବସ୍ଥା ପରଖୁଥାଏ । ଆଜି ଯାହା ସତ୍ୟ, କାଲି ତାହା ଭ୍ରମରେ ପରିଣତ ହୋଇଥାଏ । ଆଜିର ଯୁବସମାଜ ଦ୍ୱିଧାଗ୍ରସ୍ତ । ସେ ଯୁବସମାଜ ଉପରେ ସମାଜର ଭରସା ରହିଛି । ସେ ଅନବରତ ସଂଗ୍ରାମ ଜାରି ରଖିଥାଏ ବୋଲି ସମ୍ପାଦକ ଡ. ପଟନାୟକ କହିଥିଲେ ।‘ସର୍ବସାଧାରଣ’ର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ଜୟସିଂହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବାର୍ତ୍ତା ସମ୍ପାଦକ କମଳାକାନ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ‘ସର୍ବସାଧାରଣ’ର ଶ୍ରେଷ୍ଠ ସାମ୍ବାଦିକ ଓ ସଫଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।