ଯାଜପୁର ରୋଡ : ଦୀର୍ଘ ଏକ ଦଶନ୍ଧି ତଳୁ ରାଜ୍ୟରେ ଆରମ୍ଭ ହୋଇଛି ଶିଳ୍ପ ବିପ୍ଳବ । ରାଜ୍ୟର କଞ୍ଚାମାଲ ରାଜ୍ୟ ଭିତରେ ବିନିଯୋଗ ହେବାସହ ଶିଳ୍ପଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଲକ୍ଷ୍ୟରେ ଗଢି ଉଠିଥିଲା କଳିଙ୍ଗନଗର ଶିଳ୍ପାୟନ ।
ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ଏବଂ ଉନ୍ନତ ପ୍ରାକୃତିକ ଭିତ୍ତିଭୂମି ଥିବା ଏହି ଅଞ୍ଚଳ ପ୍ରତି ଆକୃଷ୍ଟ ହୋଇ ୧୩ ରୁ ଊଦ୍ଧ୍ୱର୍ ଶିଳ୍ପ ସମୂହ କଳିଙ୍ଗନଗର ମାଟିରେ ପାଦ ଥାପିଛନ୍ତି; ହେଲେ ୫ ବର୍ଷ ହେଲାଣି ଶିଳ୍ପାୟନର ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଗ୍ରହଣ ଲାଗି ଯାଇଛି । ଆବଶ୍ୟକ ଭିତ୍ତିଭୂମି ଓ କଞ୍ଚାମାଲ ସମସ୍ୟା ପାଇଁ କଳିଙ୍ଗନଗର ଶିଳ୍ପାୟନରେ ସ୍ଥାପିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୌଥ ଉଦ୍ୟୋଗ ନୀଳାଚଳ ଇସ୍ପାତ, ଭିସା ଷ୍ଟିଲ୍, ମୈଥାନ ଇସ୍ପାତ, ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଓ କେ.ଜେ. ଇସ୍ପାତ ପ୍ରଭୃତି ଶିଳ୍ପସଂସ୍ଥା ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରିନାହାନ୍ତି । ଏହିସବୁ ସଂସ୍ଥା ନିଜନିଜ ପ୍ରକଳ୍ପରୁ ଇସ୍ପାତ ଉତ୍ପାଦନ କରିବାକୁ ଚୁକ୍ତି କରିଥିଲେ ମଧ୍ୟ ଏକ ଦଶନ୍ଧି ମଧ୍ୟରେ ତାହା ସମ୍ଭବ ହୋଇପାରିନାହିଁ । କେବଳ କାରଖାନା ଫଳରେ ଇସ୍ପାତ ଘୋଷଣାନାମା ରହିଥିଲେ ମଧ୍ୟ କାରଖାନା ଭିତରେ ଇସ୍ପାତର ଗନ୍ଧ ନାହିଁ । ଏହା ବ୍ୟତୀତ ଶିଳ୍ପାୟନରେ ରହିଥିବା ଅଣଇସ୍ପାତ କାରଖାନା ମଧ୍ୟରୁ ରୋହିତ ଫେରୋଟେକ୍ ଘୋର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି । ଏହା ବ୍ୟତୀତ ମିଶ୍ରଲାଲ ଫେରୋ ଆଲଏଜ୍ ଏବଂ ବି.ସି. ମହାନ୍ତି ଫେରୋ ଆଲଏଜ୍ ପ୍ରଭୃତି କାରଖାନା ବନ୍ଦ ହୋଇଯାଇଛି । ଖଣି ସମସ୍ୟା ପାଇଁ ଏଗୁଡ଼ିକରେ ତାଲା ଝୁଲୁଥିବାବେଳେ ଶିଳ୍ପାୟନର ଏକମାତ୍ର ପେଲେଟ୍ସ ଉତ୍ପାଦକ ସଂସ୍ଥା ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ୍ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଏବେ ଆଂଶିକ ଉତ୍ପାଦନ ଆରମ୍ଭ କରିଛି । ଇସ୍ପାତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ନେଇ କଞ୍ଚାମାଲର ସମସ୍ୟାକୁ ମୁଖ୍ୟତଃ ଦାୟୀ କରାଯାଉଥିବାବେଳେ ଫଳକରେ ଇସ୍ପାତ ଫଳାଉଥିବା ଅନେକ କାରଖାନା ତାଲା ପଡ଼ିବା ପରିସ୍ଥିତିକୁ ଆସିଗଲାଣି । ଭିସା ଷ୍ଟିଲ୍ ପ୍ରକଳ୍ପ ପାଇଁ ୨୦୦୩ ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ସହିତ ଓଏମ୍୍ୟୁ ସ୍ୱାକ୍ଷରିତ କରିଥିଲା । ଏହି କାରଖାନା ପାଇଁ ୫୨୫ ଏକର ଜମି ଯୋଗାଇ ଦିଆଯାଇଥିବାବେଳେ ପ୍ରକଳ୍ପ ପାଇଁ ଭିସା ୨୫ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିଲା । କାରଖାନା ପରିସରରେ ବ୍ଲାଷ୍ଟ ଫର୍ଣ୍ଣେସ୍, ସ୍ପଞ୍ଜ ଆଇରନ୍, ଫେରୋକ୍ରୋମ, ଷ୍ଟିଲ୍ ମେଲ୍ଟିଙ୍ଗ ସପ୍, ରୋଲିଙ୍ଗ୍ ମେଲ୍ଟ ଓ ପାୱାର ପ୍ଲାଣ୍ଟ ଆଦି ୬ଟି ୟୁନିଟ୍ ନିର୍ମାଣ କରାଯାଇଥିଲା । ତେବେ ୧୫ ବର୍ଷ ମଧ୍ୟରେ ସବୁ ୟୁନିଟ୍କୁ କାର୍ଯ୍ୟକ୍ଷମ କରିବା ସମ୍ଭବ ହେଲାନାହିଁ । ପ୍ଲାଣ୍ଟ ଚଳାଇବା ପାଇଁ ଓଏମ୍ୟୁ ସମୟରେ ରହିଥିବା ସର୍ତ୍ତ ମୁତାବକ କାରଖାନା ପାଇଁ ଏଯାଏଁ ସରକାର ଖଣି ଯୋଗାଇ ଦେଲେନାହିଁ । ଆବଶ୍ୟକ ଖଣିଜ ପଦାର୍ଥ ପାଇଁ କାରଖାନା କର୍ତ୍ତୃପକ୍ଷ ଆରମ୍ଭରୁ ହିଁ ଓଡ଼ିଶା ଖଣି ନିଗମ ଉପରେ ନିର୍ଭର କରୁଥିଲେ । ଉତ୍ପାଦନ କରି ଲାଭ କରିବା ଦୂରେ ଥାଉ; ୭ ବର୍ଷ ଧରି କାରଖାନାରେ ବିନିଯୋଗ କରିବାକୁ କଞ୍ଚାମାଲ ଏକ ଅସମାହିତ ପ୍ରସଙ୍ଗ ପାଲଟିଥିବାରୁ କାରଖାନାର ରୋଲିଙ୍ଗ୍ ମିଲ୍ ଷ୍ଟିଲ୍ ମେଲଟିଙ୍ଗ୍ ସପ୍, ବ୍ଲାଷ୍ଟ ଫର୍ଣ୍ଣେସ୍ ପ୍ରଭୃତି ୟୁନିଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏବେ କାରଖାନାର ସ୍ପଞ୍ଜ ଆଇରନ୍ ଓ ଫେରୋକ୍ରୋମ ୟୁନିଟ୍ ନାମକୁ ମାତ୍ର କାର୍ଯ୍ୟକ୍ଷମ ରହିଥିବାବେଳେ ଉତ୍ପାଦନ କ୍ଷମତାଠାରୁ ୫୦% କମ୍ ଉତ୍ପାଦନ କରାଯାଉଛି । ଉତ୍ପାଦନ କ୍ଷମତା ଅନୁସାରେ କାରଖାନା ପାଇଁ ପ୍ରତି ମାସରେ ୧ ଲକ୍ଷ ମେଟ୍ରିକ୍ ଟନ୍ ଲୁହାପଥର ଓ ୧୨ ହଜାର ମେଟ୍ରିକ୍ ଟନ୍ କ୍ରୋମାଇଟ୍ର ଆବଶ୍ୟକତା ରହିଛି । ତେବେ ଏହାର ୧୦% ମଧ୍ୟ କାରଖାନାକୁ ଯୋଗାଇ ଦିଆଯାଇ ନପାରିବାରୁ ବିଗତ ୩ ବର୍ଷର ବାର୍ଷିକ ରିପୋର୍ଟକୁ ନଜର ଦେଲେ ଏହି କାରଖାନା ୨୦୧୦-୧୧ରେ ୩୦ କୋଟି, ୨୦୧୧-୧୨ରେ ୮୦ କୋଟି ଓ ୨୦୧୨-୧୩ ବର୍ଷରେ ୧୧୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହୋଇଛି ।
କେବଳ ଭିସା ନୁହେଁ କଞ୍ଚାମାଲ ସମସ୍ରା ପାଇଁ ରାଷ୍ଟ୍ରାୟତ୍ତ ଶିଳ୍ପସଂସ୍ଥା ନୀଳାଚଳ ଇସ୍ପାତ ନିଗମ ମଧ୍ୟ ଆର୍ଥିକ ଦୁର୍ଗତ ମଧ୍ୟରେ ଫସି ଯାଇଛି । ୧.୧ ଟନ୍ ଉତ୍ପାଦନ କ୍ଷମତା ଥିବା ଏହି ଶିଳ୍ପସଂସ୍ଥାର ଗତ ଆର୍ଥିକ ବର୍ଷରେ ୨ ଶହ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି । କାରଖାନାର ଅଳ୍ପ କିଛି ୟୁନିଟ୍ ନାମକୁ ମାତ୍ର କାର୍ଯ୍ୟକ୍ଷମ ରହିଥିବାବେଳେ କାରଖାନାର ଏସ୍ଏମଏସ୍ ୟୁନିଟ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । କାରଖାନାରୁ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଥିବା ଏହି ସଂସ୍ଥା କେବଳ ପିଗ୍ ଆଇରନ୍, କୋକ୍ ଏବଂ ଆମୋନିୟମ ସଲଫେଟ୍ ଉତ୍ପାଦନରେ ସୀମିତ ରହିଛି । ଶିଳ୍ପାୟନର ପ୍ରଥମ ଶିଳ୍ପ ମେସ୍କୋ ଷ୍ଟିଲର ଅବସ୍ଥା ମଧ୍ୟ ତଦ୍ରୁପ । ଶିଳ୍ପଭିତ୍ତିକ ବିନିଯୋଗ ପାଇଁ ଏହି ଶିଳ୍ପସଂସ୍ଥା ଖଣି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଷ୍ଟିଲ୍ ଉତ୍ପାଦନ କରିବା ସମ୍ଭବ ହୋଇପାରିନାହିଁ । କେବଳ ପିଗ୍ ଆଇରନ୍ ଉତ୍ପାଦନରେ ସୀମିତ ଥିବା ଏହି ସଂସ୍ଥା ମେସ୍କୋ ଷ୍ଟିଲ୍ ନାମରେ ପରିଚିତ ହାଇଛି । ନିଜସ୍ୱ ଖଣି ଥାଇ ମଧ୍ୟ ମେସ୍କୋ ଏବେ କଞ୍ଚାମାଲ୍ ପାଇଁ ଘରୋଇ ଖଣି ଉପରେ ନିର୍ଭର କରୁଛି । ୨୦୦୪ ନଭେମ୍ବର ୨୭ରେ ରାଜ୍ୟ ସରକାରଙ୍କ ସହିତ ଓଏମ୍ୟୁ ସ୍ୱାକ୍ଷର କରିଥିବା ମୈଥାନ ଇସ୍ପାତ ମଧ୍ୟ କଞ୍ଚାମାଲ ସମସ୍ୟା ମଧ୍ୟରେ ପେଷି ହୋଇଯାଇଛି । ୩୦ ମେଗାୱାଟ୍ ପାୱାର ପ୍ଲାଣ୍ଟ, ପ୍ରତ୍ୟହ ୭ ଶହ ଟନ୍ ସ୍ପଞ୍ଜ ଆଇରନ୍ ଉତ୍ପାଦନର ଦକ୍ଷତା ରଖୁଥିବା ଏହି କାରଖାନା ଅଦ୍ୟାବଧି ଇସ୍ପାତ ଉତ୍ପାଦନ କରିବାରେ ସକ୍ଷମ ହୋଇପାରି ନାହିଁ । ୧୦ ବର୍ଷ ପରେ ମଧ୍ୟ ସରକାର ଚୁକ୍ତି ମୁତାବକ ଖଣି ଯୋଗାଇ ନ ଦେବାରୁ କାରଖାନାର ରୋଲିଂ ମିଲ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ଏସ୍ଏମ୍ଏସ୍ ୟୁନିଟ୍ ନାମକୁ ମାତ୍ର ଚାଲିଛି । ସେହିପରି ଶିଳ୍ପାୟନରେ ୨୦୦୫ ଜୁନ୍ ୧୩ ବର୍ଷ ତଳୁ ଅବସ୍ଥାପିତ ହୋଇଥିବା ଅନ୍ୟତମ ବୃହତ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟେନ୍ଲେସ୍ ମଧ୍ୟ ଭିତ୍ତିଭୂମି ସମସ୍ୟାରୁ ମୁକୁଳି ପାରିନାହିଁ । କାରଖାନାରେ ଖଣିଜ ବିନିଯୋଗ ପାଇଁ ଏ ପର୍ଯ୍ୟନ୍ତ ଜିନ୍ଦଲକୁଖଣି ଲିଜ୍ ଯୋଗାଇ ଦିଆଯାଇନାହିଁ । ତେବେ ଶିଳ୍ପାୟନର ଏହି କାରଖାନା କେବଳ ଇସ୍ପାତ ଉତ୍ପାଦନ କରିବାରେ ସକ୍ଷମ ହୋଇଛି । ଅନ୍ୟ ପକ୍ଷରେ କେ.ଜେ ଇସ୍ପାତ ଲିିମିଟେଡ୍ ମଧ୍ୟ କଞ୍ଚାମାଲ ସମସ୍ୟା ଭୋଗୁଛି । ଶିଳ୍ପାୟନରେ ୨୫୬.୦୪ କୋଟି ଟଙ୍କାର ପୁଞ୍ଜି ଖଟାଇଥିବା ରୋହିତ ଫେରୋଟେକ୍ ଏବେ ୫୦% ରୁ କମ୍ ଉତ୍ପାଦନ କରୁଛି । ନାମକୁ ମାତ୍ର ଚାଲିଥିବା ଏହି କାରଖାନା ଚଳିବ ଆର୍ଥିକ ବର୍ଷ ପ୍ରଥମ ୩ ମାସରେ ୯୬.୫୬ କୋଟି ଟଙ୍କାର କ୍ଷତି କରିଛି । ଫଳ ସ୍ୱରୂପ ରୋହିତ ନିଜର ଉତ୍ପାଦନ ପାଇଁ ବ୍ୟବହାର କରୁଥିବା ବିଦ୍ୟୁତ୍ ଦେୟ ମଧ୍ୟ ଦେଇପାରୁ ନାହିଁ । ଗୋଟିଏ ପଟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରୁ ଖଣିଜ ଉତ୍ପାଦନ ବନ୍ଦ ହୋଇଯାଇଥିବାବେଳେ ଶିଳ୍ପାୟନର ନିକଟବର୍ତ୍ତୀ ଓଏମ୍ସି ପରିଚାଳିତ ଦୈତାରି ଖଣି ବନ୍ଦ କାରଖାନା ମାଲିକଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଥିଲା । କଞ୍ଚାମାଲ ସମସ୍ୟା ସୁଧାରିବା କାର୍ଯ୍ୟ ସରକାରଙ୍କର ହୋଇଥିବାବେଳେ ୬ ବର୍ଷ ଧରି ଏଥିପାଇଁ ଲାଗି ରହିଥିବା ପରିସ୍ଥିତି ସରକାର ନିମନ୍ତ୍ରଣ କରିବାରେ ଅସଫଳ ହୋଇଥିଲେ । ଯାହାଫଳରେ କଳିଙ୍ଗନଗର ଶିଳ୍ପାୟନର ନଭଶ୍ଚୁମ୍ବୀ ଚିମିନିରୁ ଧୂଆଁ ଧିମେଇ ଯାଇଛି । ତେବେ ଗତ କିଛି ମାସ ଧରି ଦୈତାରୀ ଖଣିରୁ ପରିବହନ ସ୍ୱାଭାବିକ ହୋଇଥିବାରୁ ଶିଳ୍ପାୟନ ପାଇଁ ଆଶାର ସଞ୍ଚାର ଘଟିଛି । ଶିଳ୍ପାୟନର ଅନତି ଦୂରରେ ଟମକା ଲୁହାପଥର ଖଣି ୨୫ ବର୍ଷ ହେଲା ବନ୍ଦ ପଡ଼ିଥିବାବେଳେ ଏହାକୁ ସଚଳ କରାଯିବା ପାଇଁ ସରକାରଙ୍କ ଆନ୍ତରିକତା ପରିଲକ୍ଷିତ ହେଉନାହିଁ । ଅନ୍ୟପକ୍ଷରେ କଳିଙ୍ଗନଗର ଶିଳ୍ପାୟନରେ ୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ଟାଟାଷ୍ଟିଲ୍ ପ୍ରକଳ୍ପ ଏବେ ନିର୍ମାଣଧୀନ ରହିିଛି । ଇସ୍ପାତ ଉତ୍ପାଦନ ପାଇଁ ଅବସ୍ଥାପିତ ହେଉଥିବା ଏହି ଶିଳ୍ପ ଅନେକ ସମ୍ଭାବନାର ସ୍ୱପ୍ନକୁ ସାକାର କରିବ ବୋଲି ଆଶା ରହିିଛି ।