ବାରିପଦା(ନିରପେକ୍ଷ ଖବର)ତା-୧୭/୦୮-କରୋନା ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି କିନ୍ତୁ ଚୋରା ଗଞ୍ଜେଇ ବେପାରୀଙ୍କ ବେପାର କମୁନି।ସାଧାରଣ ଜନତା ବରଂ ମରନ୍ତୁ କିନ୍ତୁ ଆମେ ବେପାର କରିବୁ। ରାତା ରାତି କୋଟିପତି ହେବାର ନିଶା ପାଇଁ ଗଞ୍ଜେଇ ନିଶାକୁ ଏହି ଚୋରା ବେପାରୀ ମାନେ ଆପଣେଇ ନେଇଛନ୍ତି। ଏମିତି ଏକ ବଡ ଧରଣର ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ବେପାରର ପର୍ଦାଫାସ କରିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ପୋଲିସ। ସୂଚନା ଅନୁସାରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥର ତାରାକୋଟି ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ କରାଯାଇଛି। ବିହାର ରାଜ୍ୟର ଦୁଇ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି ବେତନଟୀ ପୋଲିସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ କୁଇଣ୍ଟାଲ ୪୭ କେଜି ଗଞ୍ଜେଇ ଜବତ କରିବା ସହ ଥାନାରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ବେତନଟୀ ଏସ ଡି ପି ଓ ଲଳିତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
