ଭୁବନେଶ୍ୱର,ତା.୨୧/୦୧: ଶାସନର ୧୯ବର୍ଷ ପରେ ମଧ୍ୟ ଓଡ଼ିଶାରେ ମହିଳା ଅସୁରକ୍ଷିତ, ଅପମାନିତ ଓ
ଉପେକ୍ଷିତ । ପିପିଲିର ଦଳିତ ଝିଅ ବେବିନା ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପଛରେ
ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ କ୍ରାଇମବ୍ରାଂଚର ହାତ ରହିଛି । କ୍ରାଇମବ୍ରାଂଚ ଦୋଷୀକୁ ଧରିବା ଅପେକ୍ଷା ଖସାଇବା କାର୍ଯ୍ୟରେ
ଲାଗିଛି । ରାଜ୍ୟରେ ୯୦ ପ୍ରତିଶତ ଦୋଷୀଙ୍କୁ ଧରିବାରେ ଫେଲ୍ ମାରିଛି କ୍ରାଇମବ୍ରାଂଚ । ଅନ୍ୟପଟେ ଖୋଦ୍ ମୁଖ୍ୟମନ୍ତ୍ରୀ
ମହିଳାମାନଙ୍କୁ ସବୁ ସମୟରେ ଅସମ୍ମାନିତ,ଅପମାନିତ କରିଚାଲିବା ଏବଂ ପିପିଲି ପୀଡିତା ନ୍ୟାୟ ନପାଇବା ବିରୁଦ୍ଧରେ ଆଜି
ମହିଳା ମୋର୍ଚ୍ଚାର ହଜାର ହଜାର ମହିଳା ଏକାଠୀ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ଭେଟି ଦେବା ଲାଗି ସଚିବାଳୟ ଘେରାଉ
କରିଥିଲେ । ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତତ୍ୱରେ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଂଗୃହିତ ହୋଇଥିବା ଲାଲ୍ ଚୁଡି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ହ୍ରିଂସ ପରାୟଣ ହୋଇ ମହିଳାମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛି
ବୋଲି ଶ୍ରୀମତୀ ପରିଡା କହିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ସୂଚନା ଥାଇ ବି ମହିଳା ଶୋଭାଯାତ୍ରାରେ ଆବଶ୍ୟକୀୟ ଅନୁଯାୟୀ ମହିଳା ପୋଲିସ ନରହିବା ରାଜ୍ୟସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ଜାଣିଶୁଣି ସରକାର ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ଆକ୍ରମଣ କରି ପୁଣି ଥରେ ମହିଳା ଜାତିକୁ ଅସମ୍ମାନିତ ଏବଂ ଅପମାନିତ କରାଯାଇଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ
କରିଛନ୍ତି । ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାରୁ ୧୦ ହଜାରରୁ ଅଧିକ ମହିଳା ଆସି ଭାଗ ନେବା ସହ ନବୀନ ବେବିନାକୁ ନ୍ୟାୟ
ମିଳୁ , ନବୀନ ହଟାଅର ନାରାରେ ରାଜଧାନୀ କମ୍ପି ଉଠିଥିଲା । ଲାଲଚୁଡି, ଲାଲଶାଢୀ ଭେଟି ଦେବାପାଇଁ ମହିଳା ମୋର୍ଚ୍ଚା
ପୂର୍ବରୁ ଘୋଷଣା କରିଥିଲା । ଆଜି ଶୋଭାଯାତ୍ରା ସଚ୍ଚିବାଳୟ ମୁହାଁ ହେଉଥିବାବେଳେ ପୋଲିସର ଅଶୋଭନୀୟ ଆଚରଣ
ଯୋଗୁଁ ମହିଳା ନେତ୍ରୀମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ପିପିଲିରେ ଘଟଥିବା କୁନ୍ଦୁଲି ଗଣଦୁର୍ଷ୍କମ ମାମଲାରେ ବି ରାଜ୍ୟସରକାର ପୀଡିତାଙ୍କୁ ନ୍ୟାୟ ଦେବ କ’ଣ ବରଂ
ଧର୍ଷଣକାରୀଙ୍କ ସପକ୍ଷରେ କାମକରୁଥିଲା । ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତି, ବେବିନାକୁ ନ୍ୟାୟ ଏବଂ ପିପିଲି ଘଟଣାର
ସିବିଆଇ ତଦନ୍ତ କରାଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି
ପୂର୍ବରୁ ମହିଳା ମୋର୍ଚ୍ଚା ତରଫରୁ ବାରମ୍ବାର ଘଟଣାର ସିବିଆଇ ତଦନ୍ତ ଦାବି କରିବା ସତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା
ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି , ମୁଖ୍ୟମନ୍ତ୍ରୀ ହେଉଛନ୍ତି ମହିଳା ବିରୋଧୀ । ଚୁଡି ହେଉଛି ମାତୃ ଶକ୍ତିର ପ୍ରତୀକ, ଯଦି ମୁଖ୍ୟମନ୍ତ୍ରୀ
ତଥା ଶାସକ ଦଳର ମନ୍ତ୍ରୀମାନଙ୍କର ଗଣଦୁଷ୍କର୍ମକାରୀ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ
ହେଉନାହିଁ ଓଡିଶାର ମାତୃଶକ୍ତି ଦ୍ୱାରା ପ୍ରଦତ ଚୁଡି ନିଜେ ଥରେ ପିନ୍ଧି ଦେଲେ ତାଙ୍କର ମନରେ ସାହସ ଆସିବ ବୋଲି ଆମେ
ଆଶା କରି ଚୁଡି ଭେଟି ଦିଆଯାଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଆଜି ମହିଳା ମୋର୍ଚ୍ଚାର କର୍ମୀମାନଙ୍କୁ ପୋଲିସ ଗୁଣ୍ଡା ସାଜି ହିଂସା ପରାୟଣ ହୋଇ ଆକ୍ରମଣ କରିଛି । ପୋଲିସ
ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାରପିଟ୍ ଭଳି ବିଭିନ୍ନ ଲଜ୍ଜାଜନକ ଘଟଣା ବିଭିନ୍ନ ଗଣମାଧ୍ୟମରେ
ଦୃଶ୍ୟମାନ ହୋଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅଶୋଭନୀୟ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ରାଜ୍ୟସରକାରଙ୍କ ମହିଳା ବିରୋଧୀ ନୀତିର ଏହା ଏକ ନିର୍ଣ୍ଣାୟକ ଲଢେଇ । ନାରୀ ଜାତିର ସୁରକ୍ଷା ଏବଂ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମହିଳା ମୋର୍ଚ୍ଚା ଏହି ଲଢେଇ ଆଗାମୀ ଦିନରେ ଜାରି ରଖିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ପରିପ୍ରେକ୍ଷୀରେ ପିପିଲିରୁ ମହିଳା ମୋର୍ଚ୍ଚାର ଏକ ଟିମ୍ ଯାଇ ବେବିନାର ମା’ଙ୍କଠୁ ଚୁଡି ସଂଗ୍ରହ କରି ରାଜ୍ୟକାର୍ଯ୍ୟାଳୟକୁ ଆଣାଯାଇଥିଲା । ଏହି ଚୁଡି ଭେଟି କାର୍ଯ୍ୟକ୍ରମରେ ସାସଂଦ ରୂପା ଗାଙ୍ଗୁଲି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକ ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଶ୍ରୀମନ୍ତିନୀ ଜେନା,ସବିତା ନନ୍ଦ, ଶୋଭନା ମହାନ୍ତି, ଜୟନ୍ତୀ ପଢିଆରୀ, ପିଙ୍କି ପ୍ରଧାନ, ମହାଶ୍ୱେତା ରାଏ, ଅନୁଚୌଧୁରୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସ୍ମୃତି ପଟ୍ଟନାୟକ, ସୁଷମା ବିଶ୍ୱାଳ, ରଶ୍ମିରେଖା ଦାସ , ଦିପ୍ତିରେଖା ନାୟକ, ବିଜୟାଲକ୍ଷ୍ମୀ ମହାପାତ୍ର, କସ୍ତୁରୀ ମିଶ୍ର, ଏଶ୍ୱର୍ଯ୍ୟା ବରାଳ, ସୁଜତା ପାଢୀ, ସୁନିତା ମହାନ୍ତି, ସଂଘମିତ୍ରା ପ୍ରଧାନ, ସୁବାସିନୀ ପୃଷ୍ଟି, ସମସ୍ତ ଜିଲ୍ଲା ସଭାନେତ୍ରୀଙ୍କ ସମେତ ହଜାର ହଜାର ମହିଳା ସାମିଲ ଥିଲେ ।