ନିରପେକ୍ଷ ଖବର(ବାରିପଦା)ତା-୨୫/ଜୁଲାଇ/୨୦୧୯-ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ ଚତୁର୍ଥ ସେମିଷ୍ଟାରର ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଦ୍ବିତୀୟ ଦିନ ପରୀକ୍ଷା ନଦେଇ ପାରିବାକୁ କେନ୍ଦ୍ର କରି ଆଜି ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା ଦେଖାଦେଇଛି । ଆଜି ଦିନ ୧୦.୩୦ ସମୟରେ କିଛି ଛାତ୍ର କଲେଜ ଗେଟକୁ ତାଲା ପକାଇ ଦେବା ସହ ନାରାବାଜି ଦେଇଥିଲେ । ଗତକାଲି ଦୁଇଜଣ ଛାତ୍ର ବିନା ମହାବିଦ୍ୟାଳୟ ୟୁନିଫର୍ମରେ ଆସିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ମହାପାତ୍ର ଏବଂ ଅଧ୍ୟାପକ ପ୍ରଦ୍ୟୁମ୍ନ ବସା ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ ବୋଲି ଛାତ୍ରମାନେ ପ୍ରକାଶ କରିଛନ୍ତି । ଏହାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ମହାପାତ୍ର କହିଥିଲେ ଯେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପୂର୍ବରୁ ନୋଟିସ ଦିଆଯାଇଛି ମାତ୍ର ତାହାକୁ ଖାତିର ନକରି ସେହି ଛାତ୍ରମାନେ କଲେଜର ୟୁନିଫର୍ମ ରେ ନ ଆସି ଜିନସ ପ୍ୟାଣ୍ଟ ପିନ୍ଧି ଆସିଥିବାରୁ ସେମାନଙ୍କୁ ପରୀକ୍ଷା ହଲ ଭିତରେ ପ୍ରବେଶ କରିବାକୁ ଦିଆଯାଇନଥିଲା । ପରେ ଝାରପୋଖରୀଆ ଥାନା ଆଇଆଇସି ଶରତ କୁମାର ମହାଳିକ ଆସି ପହଁଚିଥିଲେ ମଧ୍ୟ ମୁଖ୍ୟ ଫାଟକରେ ତାଲା ପଡିଥିବାରୁ ପ୍ରବେଶ କରିପାରିନଥିଲେ । ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବାବଦରେ ଛାତ୍ର ଏବଂ ତାଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା କରିଥିବାର ଜଣାଯାଇଛି ।
