ଆଜି ବି ମାନବିକତା ବଞ୍ଚିଛି…..
ଜଣେ ବୃଦ୍ଧାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ ସରକାରୀ ବାବୁ...
ନିରପେକ୍ଷ ଖବର(ବାରିପଦା)ତା-୨୬/ଜୁଲାଇ/୨୦୧୯-ସରକାରୀ ବାବୁଙ୍କ କ୍ଷେତ୍ରରେ ଥିବା ଜନତାଙ୍କ ଭାବଧାରା କୁ ବଦଳାଇ ଦେଲେ ଜଣେ ସରକାରୀ ବାବୁ।ଏକ ଅସହାୟ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରି ପହଞ୍ଚାଇଥିଲେ ବୃଦ୍ଧାଶ୍ରମରେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଉଦାହରଣ ସୃଷ୍ଟି କରୁଥିବା ଦୃଶ୍ୟ । ବାରିପଦା ଯୋଗାଣ ବିଭାଗ ଅତିରିକ୍ତ ଅଧିକାରୀ ସର୍ବେଶ୍ୱର ନାୟକ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମ ରେ ଛାଡିଛନ୍ତି । ବୃଦ୍ଧା ଜଣକ ହେଲେ ଫୁଲମଣି ବିନ୍ଧାଣି । ତାଙ୍କ ସ୍ୱାମୀ ମରି ଗଲା ପରେ ସେ ଅସହାୟ ହୋଇପଡିଥିଲେ । ଭିକ ମାଗି ନିଜ ପେଟ ପୋସୁଥିଲେ। ରାତି ହେଲେ ଯେଉଁଠି ପାରେ ସେଠି ସୋଇଯାଉଥିଲେ। ମାତ୍ର ଯେତେବେଳେ ଏହି ଦୃଶ୍ୟଟି, ଅତିରିକ୍ତ ଯୋଗାଣ ଅଧିକାରୀ ସର୍ବେଶ୍ୱର ନାୟକଙ୍କ ନଜରକୁ ଆସିଥିଲା, ସେତିକିବେଳେ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଥିଲେ । ରାସ୍ତାରେ ବୃଦ୍ଧାଙ୍କ ପାଇଁ ଖାଇବା ଜିନିଷ,ଶାଢ଼ୀ , କମ୍ବଳ ଇତ୍ୟାଦି କଣିଦେଇ ନିଜ ଗାଡ଼ି ରେ ବସାଇ ସେହି ବୃଦ୍ଧାଙ୍କୁ ଆଶ୍ରମରେ ଛାଡିଥିଲେ । ଅନ୍ୟପଟେ ଏ ଖବର ଚାରିଆଡେ ପ୍ରଘଟିତ ହେବାପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଯାଇଛି। ସମାଜରେ ଯେତେବେଳେ ଅନ୍ୟମାନେ ନଜର ଆଡେଇ ଦେଇ ଚାଲି ଯାଉଥିଲେ ସେତେବେଳେ ଏ ବାବୁ ଜଣଙ୍କ ତାଙ୍କ କର୍ତବ୍ୟ ଭାବି ଏହି ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ତେବେ ବୃଦ୍ଧାଙ୍କୁ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବା ସହ ଭତ୍ତା ଏବଂ ରାସନ କାର୍ଡ ଆଦି ଯୋଗାଇ ଦିଆଯିବ ବୋଲି ସରକାରୀ ବାବୁ ଜଣଙ୍କ କହିଛନ୍ତି।