ବାରିପଦା(ନିରପେକ୍ଷ ଖବର)ତା-୧୯/ଅଗଷ୍ଟ/୨୦୧୯- ହସ୍ପିଟାଲରେ ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ନାଁରେ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ନର୍ସ। କିଏ ମିଠା ବାବଦରେ ଟଙ୍କା ମାଗୁଛନ୍ତି ତ ଆଉ କେଉଁ ନର୍ସ ତୁମର ପୁଅ ହୋଇଛି ବୋଲି କହି ଗର୍ଭବତୀ ମହିଳାଙ୍କୁ ଲୁଟି ଚାଲିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରସବ ପାଇଁ ଆସୁଥିବା ଗର୍ଭବତୀ ମହିଳାଙ୍କ ଠାରୁ ଏଭଳି ଲୁଟ କରାଯାଉଥିବା ଅଭିଯୋଗ ଆଣିଛି ମୟୁରଭଞ୍ଜର ମାର୍ଶା ଆର୍ମି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅସୁବିଧା ଦୂର ହେବାର ନାଁ ଧରୁନି। ହସ୍ପିଟାଲର ମହିଳା ଓ ପ୍ରସୂତି ବିଭାଗରେ ପିଲା ଜନ୍ମ ହେଲେ ମିଠା ଖାଇବାକୁ ପଇସା ମାଗୁଛନ୍ତି ନର୍ସ।ସୂଚନାଯୋଗ୍ୟ ପିଲା ଜନ୍ମ ହେଲା ମାତ୍ରେ ମିଠା ଖାଇବା ବାବଦ ରେ ନର୍ସ ମାନେ ପ୍ରସୂତି ପରିବାରକୁ ପଇସା ବା ଲାଞ୍ଚ ମାଗୁଛନ୍ତି। ସରକାର ମମତା ଯୋଜନାରେ ପିଲା ଜନ୍ମ ହେବା ପରେ ପଇସା ସହାୟତା ଦେଉଛନ୍ତି। କିନ୍ତୁ ଏଠାରେ ଆଗେ ମିଠା ପଇସା ନ ଦେଲେ କିଛି କାମ ହେଉନି। ମାର୍ଶା ଆର୍ମି ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରସୂତି ପରିବାରଠୁ ମିଠା ଖାଇବା ବାବଦରେ ନିଆ ଯାଉଥିବା ଲାଞ୍ଚକୁ ବନ୍ଦ କରିବା ସହିତ ଏହା ଏକ ଅପରାଧ ବୋଲି ନୋଟିସ ବୋର୍ଡ଼ ରେ ଲେଖିବାକୁ ଦାବି କରିଛନ୍ତି।
