ବାରିପଦା(ନିରପେକ୍ଷ ଖବର)ତା-୨୧/ଅଗଷ୍ଟ/୨୦୧୯-ବାରିପଦା ସଦର ଥାନା ଅଧିନସ୍ଥ ଏକ ଘରେଇ ଶିକ୍ଷାନୁଷ୍ଠାନରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ର ଉଦ୍ଧାର ହୋଇଛନ୍ତି। ସୂଚନା ମୁତାବକ ଗତ ୧୫ ତାରିଖ ସ୍ବାଧୀନତା ଦିବସ ଓ ରାଖୀ ବନ୍ଧନ ପାଳନ ସାରି ରାତି ପ୍ରାୟ ଗୋଟାଏ ବେଳେ ହଷ୍ଟେଲରେ ସମସ୍ତେ ସୋଇଥିବା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ତିନି ଜଣ ଛାତ୍ର ହଷ୍ଟେଲରୁ କୁଆଡ଼ ଗାଏବ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ୧୬ ତାରିଖ ସକାଳେ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତିନି ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଶିକ୍ଷାନୁଷ୍ଠାନ ସହାୟତାରେ ନିଖୋଜ ଛାତ୍ରମାନଙ୍କୁ ଧରିବା ପାଇଁ ପୁଲିସ ତିନୋଟି ଟିମ ଗଠନ କରି ତଦନ୍ତ ଚଳାଇଥିଲା।ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ମିଶି ପୁଲିସର ଗୋଟିଏ ଟିମ ପଶ୍ଚିମବଙ୍ଗ, ଆଉ ଗୋଟେ ଟିମ ରାଉରକେଲା ଏବଂ ଅନ୍ୟ ଟିମଟି ବାଲେଶ୍ୱର ଯାଇଥିଲା। ଭୁବନେଶ୍ୱର, ବାଲେଶ୍ୱର, କୋଲକତା ଖଡ଼ଗପୁର ରେଳ ଷ୍ଟେସନରେ ଥିବା ସିସିଟିଭିକୁ ପୁଲିସ ଯାଂଚ କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସନ୍ଧାନ ମିଳିନଥିଲା। ତେବେ ଗତ ୨୦ ତାରିଖରେ ନିଖୋଜ ଛାତ୍ରାଙ୍କ ମଧ୍ୟରୁ ଦୁଇ ଜଣ ରାଉରକେଲାରେ ବୁଲୁଥିବା ପୁଲିସ ଖବର ପାଇ ସେମାନଙ୍କୁ କାବୁ କରିଥିଲେ। ଆଉ ଜଣେ ନିଖୋଜ ଛାତ୍ର ଟାଟାରେ ତାଙ୍କ ମାମୁଁ ଘରେ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣି ଛାତ୍ର ଜଣଙ୍କୁ ହଷ୍ଟେଲକୁ ଆଣିଥିଲେ। ଏନେଇ ଉଦ୍ଧାର ହୋଇଥିବା ଜଣେ ଛାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ହଷ୍ଟେଲରେ ଦୀର୍ଘଦିନ ହେଲା ରହୁଥିବାରୁ ତାଙ୍କୁ ଆଦୌ ଭଲ ଲାଗୁନଥିଲା। ମୁମ୍ବାଇ ସହର ବୁଲିବାକୁ ଇଚ୍ଛା ହେବାରୁ ସେମାନେ ହଷ୍ଟେଲରୁ ଖସିବାକୁ ଏକ ମ୍ୟାପ ତିଆରି କରିଥିଲେ ବୋଲି ଛାତ୍ର ଜଣଙ୍କ କହିଥିଲେ। ପ୍ଲାନ ମୁତାବକ ତିନି ଛାତ୍ର ୧୬ ତାରିଖ ମଧ୍ୟ ରାତିରେ ହଷ୍ଟେଲର କଢ଼ା ସୁରକ୍ଷା ବଳୟ ଭିତରୁ ଖସିଯିବାକୁ ସକ୍ଷମ ହୋଇଥିଲେ। ତିନି ଛାତ୍ର ଉଦ୍ଧାର ହେବା ପରେ ଚିନ୍ତାରେ ଥିବା ସ୍କୁଲ କର୍ତ୍ତୃପକ୍ଷ ଆଶ୍ୱସ୍ତି ଲାଭ କରିଛନ୍ତି।
