ବାରିପଦା(ନିରପେକ୍ଷ ଖବର)ତା-୨୮/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଜଣେ ୮ବର୍ଷର ଝିଅକୁ ବଳାତ୍କାର କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଜିଲ୍ଳା ଦୌରାଜଜ ବୁଧବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କାର୍ଯ୍ୟାଳୟ-1 ପୋସ୍କୋ କୋର୍ଟ ଆଜି ପ୍ରଥମ ଥର ଏଭଳି ଐତିହାସିକ ରାୟ ଶୁଣାଇ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଭିଯୁକ୍ତ ଜଣଙ୍କ ଜଣେ ନାବାଳିକା ୮ ବର୍ଷର ଝିଅକୁ ଦୋଳି ଖେଳାଇବା ଓ ସାଇକେଲ ଚଳାଇବା ଶିଖାଇଦେବାକୁ କହି ୨୦୧୮ ମସିହା ଜୁନ ମାସ ୧୫ ତାରିଖରେ ତାକୁ ଡାକି ନେଇ ଜଙ୍ଗଲରେ ପ୍ରଥମେ ବଳାତ୍କାର ଓ ପରେ ତଣ୍ଟି ଚିପି ହତ୍ୟା କରିଥିଲା। ବେତନଟୀ ଥାନା ଅନ୍ତର୍ଗତ ଗରୁଡ଼ବସା ଗାଁର ଯୁବକ ଜାମିନିକାନ୍ତ ମହାନ୍ତ ଏଭଳି ନୁରସଂସ କାଣ୍ଡ ଘଟାଇ ମୟୁରଭଞ୍ଜ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଓ କାର୍ଯ୍ୟାଳୟ-1 ପୋସ୍କୋର ମହମ୍ମଦ ସବାଵ ନବୀଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ସୂଚନା ମୁତାବକ ଅଭିଯୁକ୍ତ ଜଣଙ୍କ ନାବାଳିକା ଝିଅକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେବା ପରେ ପରିବାର ଲୋକ ୨୦୧୮ ମସିହାରେ ବେତନଟୀ ଥାନାରେ ଏତଲା ଦେଇଥିଲେ। ଏନେଇ ପୁଲିସ 72/2018ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ତାକୁ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାର ଦୀର୍ଘ ୧୪ ମାସ ପରେ ମାନ୍ୟବର କୋର୍ଟ ସାକ୍ଷ୍ୟପ୍ରମାଣକୁ ଭିତି କରି ବଳତ୍କାରିକୁ ବୁଧବାର ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ପ୍ରେମ କରିବାର ନିଶାରେ ଜାମିନିକାନ୍ତ ମଣିଷ ପଣିଆକୁ ଭୁଲି ଯାଇ ନିଜେ ରାକ୍ଷାସ ପାଲଟି ଯାଇଥିଲେ। ଜଣେ ୮ ବର୍ଷର ଝିଅକୁ ପ୍ରଥମେ ବଳାତ୍କାର ଓ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇ ଆସିବା ଘଟଣା ସେ ସମୟରେ ମୟୁରଭଞ୍ଜ ଜିଲ୍ଲା ସମେତ ସାରା ରାଜ୍ୟରେ ହା ହା କାର ମଚିଯାଇଥିଲା। ପୀଡିତ ଝିଅର ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ପାଇଁ ରାଜ୍ୟ ସରକାର 5 ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ। ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ସେ ସମୟରେ ଦାବି ଉଠିଥିଲା। ଆଜି ମାନ୍ୟବର କୋର୍ଟ ଏଭଳି ରାୟ ଶୁଣାଇଵା ପରେ ପୀଡିତା ଝିଅର ବାପା କହିଛନ୍ତି ଯେ, ଆଜି ମୋ ଝିଅ ନ୍ୟାୟ ପାଇଛି।
