ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ ଖେଳିଯାଇଥିଲା। ମୟୁରଭଞ୍ଜ ଜିଲ୍ଲାରେ ନୂଆ ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଦାଇତ୍ୱ ନେବାପରେ ବାଦାମପାହାଡ଼ର ଦାଇତ୍ୱହୀନ ଥାନାଧିକାରୀଙ୍କୁ ନିିଲମ୍ବବିତ କରିଛନ୍ତି। ଏକ ହତ୍ୟା ମାମଲାରେ ଥାନାଧିକାରୀ ଜଣଙ୍କ ଗୋଟିଏ ନିର୍ଦୋଷ ପରିବାରର ବାପା ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଯାହାକୁ ନେଇ ଏବେ ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ଏସ୍ପି ପରମାର ସ୍ମିଥ ପୁରୁ ଷୋତ୍ତମଦାସ ଶୁକ୍ରବାର ଥାନାଧିକାରୀ ଶଶଧର ସେଠୀଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଜଙ୍ଗଲରୁ ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ପରେ ଏକ ବଧୂହତ୍ୟା ମାମଲା ରୁଜୁ କରି ପୁରୁଣାପାଣି ଗ୍ରାମର ମଙ୍ଗଳ ନାୟକ ଓ ପୁଅ ସଞ୍ଜୟ ନାୟକଙ୍କୁ ଗିରଫ କରିଥିଲା। ରିପୋର୍ଟରେ ଏହି ମୃତଦେହ ସଞ୍ଜୟଙ୍କ ସ୍ତ୍ରୀ ରାଇମଣିଙ୍କର ବୋଲି ପୋଲିସ ଦର୍ଶାଇଥିଲା। ତେବେ କିଛିଦିନ ପରେ ରାଇମଣି ଗାଁକୁ ଫେରି ଜୀବିତ ଥିବା କୋର୍ଟରେ ବୟାନ ଦେଇଥିଲେ। ପରେ କୋର୍ଟ ବାପପୁଅଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
