ବାରିପଦା,ନିରପେକ୍ଷ ଖବର: ବାରିପଦା ରେ ମୟୂରଭଞ୍ଜ ମହୋତ୍ସବ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ପ୍ରକାର ମୟୂରଭଞ୍ଜିଆ ଲୋକନୃତ୍ୟ ବାଦ୍ୟର ତାଳେତାଳେ ଏକ କାର୍ଣ୍ଣିଭାଲ ରୋଡସୋ ଅନୁଷ୍ଠିତ ହୋଇଯାଇଛି । ଏହି ରୋଡସୋକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ଏସ. ପୁରୁଷୋତ୍ତମ ଦାସ, ବରିଷ୍ଠ ସିନେ ତାରକା ଉତ୍ତମ ମହାନ୍ତି, ସିନେ ତାରକା ସ୍ୱରାଜ ବାରିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ବେଳେ ମଞ୍ଚରେ ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମକର୍ତ୍ତା ତଥା ସିନେ କଳାକାର ଅସୀତ ପତି, ସଞ୍ଜୀବ ଦିୱେଦୀ, ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ମୟୂରଭଞ୍ଜର ପାରମ୍ପାରିକ କଳସୀ ନୃତ୍ୟ, ଝୁମର ନୃତ୍ୟ, ଚାଙ୍ଗୁ ନୃତ୍ୟ ତଥା ବିଭିନ୍ନ ପ୍ରକାର ଆଦିବାସୀ ଲୋକନୃତ୍ୟ ସହିତ ସମ୍ବଲପୁରି ନୃତ୍ୟ ଓ ବାଦ୍ୟର ତାଳେତାଳେ ଉପସ୍ଥିତ ମୟୂରଭଞ୍ଜ କଳା ସଂସ୍କୃତି ପ୍ରେମୀ ଜନତା ମତୁଆଲା ହୋଇ ନୃତ୍ୟ କରୁଥିବାର ଦେଖାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିବା ବେଳେ ସାଂସ୍କୃତିକ ଶୋଭାଯାତ୍ରା ନୃତ୍ୟ ପ୍ରଦର୍ଶନ କରି ସହର ପରିକ୍ରମା କରିବା ସହିତ ମହୋତ୍ସବ ସ୍ଥଳ ଛଉପଡିଆ ଠାରେ ପହଞ୍ଚିଥିଲେ ।
ଆସନ୍ତା କାଲିଠାରୁ ମହୋତ୍ସବ ମଞ୍ଚରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମିଦାମୀ କଳାକାରଙ୍କ ଷ୍ଟେଜ ସୋ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତିଦିନ ସଂଧ୍ୟାରେ ଅତିଥି ମାନଙ୍କର ସମାଗମ ମଧ୍ୟ ହେବା । ଏହି ଅବସରରେ ଲାଗିଥିବା ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଉପଲବ୍ଧ ହେବା ସହିତ ବାରିପଦାର ପ୍ରସିଦ୍ଧ ଖାଦ୍ୟ ମାଂସ ମୁଢିର ମଜା ନେଇପାରିବେ ଦର୍ଶକ ତଥା ଆଗନ୍ତୁକ ମାନେ ।
