ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ। ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଉପସ୍ଥିତ ରହି ଧାରଣାରେ ବସିଥିବା ମୃତ ବ୍ୟକ୍ତିର ପରିବାର ଲୋକଙ୍କୁ ବୁଝା ସୁଝା କରୁଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବାରିପଦା ପୌରପାଳିକା ଅନ୍ତର୍ଗତ ମଧୁବନ ଅଞ୍ଚଳର ୱାର୍ଡ ନଂ ୭ ର ହୃଷିକେଶ ବୈଶାଖ (୬୫)। ମୃତ ବ୍ୟକ୍ତିଙ୍କ ପୁଅ ର ଅଭିଯୋଗ ଅନୁଯାଇ ଗୁରୁବାର ସକାଳ ୧୦:୩୦ ସମୟରେ ଜୋର ଥଣ୍ଡା ରେ ପୀଡିତ ବାପାଙ୍କର ଚିକିତ୍ସା କରାଇବା ପାଇଁ ତାଙ୍କୁ ପିଆରଏମ୍ ମେଡିକାଲ କୁ ଆଣିଥିଲେ, ହେଲେ ସେଠାରେ ଡାକ୍ତର ଏବଂ ନର୍ସ ମାନେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ନଥିଲେ ଫଳରେ ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ି ଯାଇଥିଲା, ତେବେ ୧୦:୩୦ ସମୟରେ ଦୁଇ ଚାରିଟି ଇଂଜେକସନ ଦେଇଥିଲେ ବୋଲି ପୁଅ ଅଭିଯୋଗ ଆଣିଛନ୍ତି। ବିଳମ୍ୱିତ ରାତିରେ ବାପାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମାନେ ପୁଅଙ୍କୁ ଜଣାଇବା ପରେ ଶୁକ୍ରବାର ସକାଳେ ପରିବାର ଲୋକ ମେଡିକାଲ ପରିସରରେ ଧାରଣା ଜାରି ରଖିଛନ୍ତି।
