
ବାରିପଦା(ନିରପେକ୍ଷ ଖବର)ତା-୧୩/ଡିସେମ୍ବର/୨୦୧୯: ବନ ବିଭାଗର ବିଚିତ୍ର ନୀତି। ଗଛର ଚାରକୁ ଜୀବନ ଦେବାକୁ ଯାଇ ପରିବେଶ ପ୍ରଦୂଷଣ ରୋକୁଥିବା ବଢ଼ିଲା ଗଛଗୁଡ଼ାକୁ କାଟି ପକାଉଛି। ନୂତନ ଚାରା ଉତ୍ପାଦନ ବାହାନାରେ ବଳି ପଡ଼ିଛନ୍ତି ଶତାଧିକ ଔଷଧୀୟ ବୃକ୍ଷ। ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥ ନିକଟବର୍ତ୍ତୀ ଶଙ୍ଖାଭଙ୍ଗା ଠାରେ ବାରିପଦା ବନଖଣ୍ଡ ଅଧୀନ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିସରରୁ ଶତାଧିକ ମୂଲ୍ୟବାନ ଔଷଧୀୟ ଗଛକୁ ବନ ବିଭାଗ କାଟିବା ଭଳି ଚିତ୍ର ସାମ୍ନାକୁ ଆସିଛି। ଏନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ନର୍ସରୀ ମଧ୍ୟରୁ ଏହି ଗଛ କଟା ପ୍ରାୟ ୫ ଦିନ ହେବ ଚାଲୁ ରହିଥିବା ଅଭିଯୋଗ ହୋଇଛି। ନୂତନ ଚାରା ଉତ୍ପାଦନ ନାମରେ ନର୍ସରୀ ମଧ୍ୟରେ ଗଛ କଟା ଯାଉଥିବା ଆଜି ଜଣାପଡ଼ିଥିଲା। ତେବେ ଏହା ଏକ ରୁଟିନ୍ ବ୍ୟବସ୍ଥା ବୋଲି ବାରିପଦା ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସ୍ଵୟମ୍ ମଲ୍ଲିକ କହିଛନ୍ତି। ଏଥି ସହିତ ଯେଉଁଠି ନର୍ସରୀ ରହିଥାଏ। ଉତ୍ପାଦନ ପାଇଁ ସେଠାରୁ ଉତ୍ପାଦନ ହେଉଥିବା ବଳକା ଚାରାକୁ ନର୍ସରୀ ପରିସରରେ ରଖାଯାଇଥାଏ। ତେବେ ନୂତନ ଚାରା ଉତ୍ପାଦନ ନିମନ୍ତେ ନର୍ସରୀରେ ଥିବା ଉକ୍ତ ଗଛକୁ କଟାଯାଇ କ୍ଷେତ୍ର ପ୍ରସ୍ତୁତ କରାଯାଇଥାଏ। ଏଥିରେ କୌଣସି ଅନିୟମିତତା ଅଥବା କୌଣସି ଆଇନ ଉଲ୍ଲଘନ ହୋଇନଥାଏ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ମାତ୍ର ଏହି ଘଟଣାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ପୁଣି ନର୍ସରୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେଠାରେ ବାଉଁଶର ନୂଆ ନର୍ସରୀ ହେବ ବୋଲି କହିଛନ୍ତି । ଯାହାକି ଘଟଣାକୁ ଅଧିକ ଗୋଳିଆ କରିଛି। କଟାଯାଇଥିବା ଗଛକୁ ମଞ୍ଚାବନ୍ଧା ନର୍ସରୀ ପରିସରରେ ରଖାଯାଇଥିବା ଜଣାପଡ଼ିଛି। ତେବେ ମୟୁରଭଞ୍ଜ ଜିଲ୍ଲା ତଥା
ବାରିପଦା ବନଖଣ୍ଡ ଅଧୀନରେ ଶହ ଶହ ଏକର ସରକାରୀ ଜମି ପଡ଼ିଆ ପଡ଼ିଛି। ଏଥି ସହିତ ସେହି ସରକାରୀ ଜମି ମଧ୍ୟରୁ କିଛି ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଉକ୍ତ ପତିତ ଜମି ଉପରେ ବନ ବିଭାଗ ବଳକା ଚାରା ରୋପଣ କରିପାରିଥାନ୍ତେ ବୋଲି ମତପ୍ରକାଶ ପାଇଛି।
