ବାରିପଦା(ନିରପେକ୍ଷ ଖବର)ତା-୦୩/୦୬: ଲକ୍ ଡାଉନ୍ ସମୟରେ ବାରିପଦା ସହରରେ ଗୁଡ଼ି ଉଡାଳିମାନେ ବିଭିନ୍ନ ରାସ୍ତାକୁ ଅଘୋଷିତ ଭାବେ କବଜା କରି ରଖିଛନ୍ତି । କରୋନା ଭୟରେ ଗାଡି ମୋଟର ଚଳଚଳ ଟିକେ କମ୍ ଥିବାରୁ ଗୁଡ଼ି ଉଡାଳିମାନେ ରାସ୍ତା ମଝିରେ ଗୁଡି ଉଡାଇ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ ଟାଣିବାକୁ ଛାଡୁନାହାନ୍ତି । ରାସ୍ତାକୁ ନିଜର ଖେଳ ପଡିଆ ବୋଲି ଭାବି ଏମାନେ ବାଇକ ଚାଳକମାନଙ୍କ ନିମନ୍ତେ ବିନା କାରଣରେ ବିପଦର କାରଣ ପାଲଟିଛନ୍ତି । ଅପରାହ୍ନ ୪ଟା ବାଜିଗଲେ ଗୁଡି ଉଡାଳିମାନେ ରାସ୍ତା ମଝିକୁ ପଳାଇ ଆସୁଛନ୍ତି । ବୁଧବାର ଜଣେ ବାଇକ ଚାଳକଙ୍କର ବେକରେ ଗୁଡି ସୂତା ଲାଗି ରକ୍ତାକ୍ତ ହେବା ପରେ ଏସବୁ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ସତ୍ୟସାଇ ଛକ ନିକଟରେ ସୁମନ କୁମାର ସାହୁ ଏକ ବାଇକରେ ଯାଉଥିବା ବେଳେ ଗୁଡିର ମାଂଜ ସୂତା ବେକରେ ଲାଗି ରକ୍ତାକ୍ତ ହୋଇଯାଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା କରାଇଥିବା ଜଣାପଡିଛି । ଗୁଡି ଉଡାଳିଙ୍କ ମାଂଜ ସୂତା ଲାଗି ବିଭିନ୍ନ ସମୟରେ ପଥଚାରୀ ଓ ବାଇକ ଚାଳକମାନେ ଆହତ ହେଉଥିଲେ ମଧ୍ୟ ଏମାନେ ଚେତୁ ନାହାନ୍ତି । ଗତ ୨୫ ତାରିଖରେ ସୁଶାନ୍ତ ମହାନ୍ତି ବାରିପଦା ଟାଉନ ଥାନା ନିକଟରୁ ପ୍ରାୟ ୫୦ ଫୁଟ ଦୂର ବଡ଼ଦାଣ୍ଡ ପାଶ୍ବରେ ଥିବା ଗୁରୁଜୀ ଗୋସାରୀ ଦୋକାନରୁ ସାମଗ୍ରୀ କିଣି ଫେରୁଥୁବା ବେଳେ ଗୁଡ଼ିର ସୁତା ବେକରେ ଲାଗିବାରୁ ଆହତ ହୋଇଥିଲେ । ସେହିପରି ରାଣୀ ସତୀ ମନ୍ଦିରର ପୂଜକଙ୍କର ବେକ କଟି ରକ୍ତାକ୍ତ ହୋଇଥିଲେ । ବାରିପଦା ସହରରେ କେବଳ ଏହି ଘଟଣା ନୁହେଁ ଗତ ୨୮ ତାରିଖରେ ଆଇନଜୀବୀ ଅରବିନ୍ଦ ଦାସ ବଡ଼ଦାଣ୍ଡ ଟାଉନ୍ ଥାନା ପାର୍ଶ୍ୱରେ ମାଂଜ ଗୁଡିର ସୂତା ତାଙ୍କ ହାତରେ ଲାଗି କଟି ଯାଇଥିଲା । ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କୁ ପଚାରିବାରୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିନାହିଁ ବୋଲି ସେ କହିଛନ୍ତି। ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
