ବାରିପଦା(ନିରପେକ୍ଷ ଖବର) ତା-୧୭/୦୬-ଦେଶ ମତୃକାର ସେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ନଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି।ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ୍ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ।ଭାରତୀୟ ସେନା ଏହାର ପାଲଟା ଜବାବ ମଧ୍ୟ ଦେଇଥିଲାଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ରେ ସଂଘଟିତ ରାତିଅଧିଆ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତର ୨୦ ଯବାନ।ସେଥିରେ ୨ଜଣ ଓଡ଼ିଆ ଯବାନ ଶହୀଦ ଥିବା ଜଣାପଡ଼ିଛି।ତେବେ ଏହି ଶହୀଦ ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ରାଇରଙ୍ଗପୁର ମାଟିର ପୁଅ ନନ୍ଦୁରାମ ସୋରେନ।ବୁଧବାର ସକାଳେ ଏହି ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଶହୀଦ ନନ୍ଦୁରାମଙ୍କ ଘର ମୟୂରଭଞ୍ଜ ଜିଲାର ବିଜିତଳା ବ୍ଲକ ଅନ୍ତର୍ଗତ ବଡ଼ଚମ୍ପାଉଦା ଗ୍ରାମରେ। ସ୍ୱର୍ଗତ କାହ୍ନୁ ମାଝୀଙ୍କର ଚତୁର୍ଥ ପୁତ୍ର ଥିଲେ ଶହୀଦ ନନ୍ଦୁରାମ। ତାଙ୍କର ସପରିବାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମରେ ଭଡ଼ାରେ ରହୁଛନ୍ତି ।ସେ ଇଣ୍ଡିଆନ ଆର୍ମିରେ ୧୯୯୭ ମସିହାରେ ବିହାର ରାଜ୍ୟ ୧୬ନମ୍ବର ରେଜିମେଣ୍ଟରେ ସେନା ବାହିନୀରେ ଯୋଗଦେଇଥିଲେ।ଦୀର୍ଘ ୨୩ ବର୍ଷ ଧରି କାର୍ଯ୍ୟ କରୁଥିଲେ।ସେ ଜୁନିୟର କମାଣ୍ଡିଙ୍ଗ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଶହୀଦ ନନ୍ଦୁରାମଙ୍କ ବୟସ ୪୩ ବର୍ଷ ହୋଇଥିବା ଜଣାପଡିଛି। ଶହୀଦ ନନ୍ଦୁରାମଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ ତାଙ୍କର ୩ କନ୍ୟା ଗଣେଶ୍ବରୀ(୧୪), ମାନସୀ(୧୧) ଓ ସୋନାଲି(୦୫) ଅଛନ୍ତି।ଗତ ଫେବୃୟାରୀରେ ସେ ଘରକୁ ଆସିଥିବା ବେଳେ ଏପ୍ରିଲରେ କାର୍ଯ୍ୟକ୍ଷେତ୍ରକୁ ଫେରିଯାଇଥିଲେସେ ଶହୀଦ ହୋଇଥିବା ନେଇ ଖବର ମିଳିବା ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।ଶୋକ ସନ୍ତୋପ୍ତ ପରିବାରକୁ ବିଜୁ ଜନତା ଦଳ ପକ୍ଷରୁ ଭେଟି ସମବେଦନା ଜଣାଇଥିଲେ।ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ଜିଲ୍ଲା ସଦର ସଭାପତି କାଶୀନାଥ ହେମ୍ବ୍ରମ,ପୂର୍ବତନ ଜିଲ୍ଲା ଏସ ଡି ସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି,ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା,ସୁବ୍ରତ ଛାଟୋଇ,ପ୍ରକାଶ ମହାନ୍ତି,ଜେମାମଣି ଶୁଣ୍ଢି,ଗଣେଶ ମିଶ୍ର ପ୍ରମୁଖ ଶହୀଦ ପରିବାରକୁ ଭେଟିଥିଲେ।ଶହୀଦ ହେବାର ଖବର ପ୍ରସାରିତ ହେବା ପରେ ଗ୍ରାମ ସମେତ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା।
