ଭୁବନେଶ୍ୱର: ନିରପେକ୍ଷ ଖବର, ୦୫/୦୬/୨୦୧୯
ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଅଧ୍ୟକ୍ଷତା କରିବା ସହିତ ନିର୍ବାଚନ ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ୧୫ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ତାଲିମ କାର୍ଯ୍ୟକ୍ରମକୁ କିଭଳି ସଫଳ ରୂପାୟନ କରାଯାଇପାରିବ ସେ ନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ଏବଂ ଏହାର ଅଗ୍ରଗତି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ୱାଇ-ଫାଇ ସଂଯୋଗୀକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ଜିବି ଡ଼ାଟା ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ । ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରମୁଖ ସେବାଗୁଡ଼ିକୁ ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସ୍ ଆକଫ୍ରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ନିୟୋଜନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ତଥା ଓ.ଏସ୍.ଡ଼ି.ଏ ର ସି.ଇ.ଓ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ସଚିବ ଶ୍ରୀ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ, ଉପସଚିବ ଶ୍ରୀ ସଂଗ୍ରାମରାୟ ସର୍ଦ୍ଦାର ଏବଂ ବ୍ୟକ୍ତିଗତ ସଚିବ ଶ୍ରୀ ଗୌରହରି ବେହେରା ଉପସ୍ଥିତ ଥିଲେ ।
