ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୦୩ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ମହାତ୍ମାଗାନ୍ଧୀ ମାର୍ଗରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ହେଉଛି ଆମର ଅସ୍ମିତା ଏବଂ ଓଡ଼ିଆ ଭାଷା ସମ୍ପର୍କରେ ବିଶ୍ଵବ୍ୟାପୀ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ସୂଚନାଯୋଗ୍ୟ, ୨୦୧୪ ମାର୍ଚ୍ଚ ୧୧ ରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ | ପରିଷଦ ତରଫରୁ ଦୀର୍ଘ ଦିନ ହେବ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ନିମନ୍ତେ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଅଛି | ତା ସହ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ବାବଦରେ ଓଡ଼ିଶାବାସୀ ବିଶେଷ ଭାବରେ ସଚେତନ ହେବା ସହିତ ରାଜ୍ୟରେ ଓଡ଼ିଆ ପ୍ରଚଳନର ବ୍ୟାପକତା ପ୍ରତି ଉତ୍ସାହଜନକ ପରିବେଶ ସୃଷ୍ଟି ହେବାକୁ ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି | ଓଡ଼ିଆ ଜାତିର ଓ ଭାଷାର ମହାମନିଷୀ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଏହି ଅବସରରେ ଆୟୋଜିତ ସଭାରେ ପରିଷଦର ଅଧକ୍ଷ ଅଲେଖଚନ୍ଦ୍ର ଜେନା ଓଡ଼ିଆ ଭାଷାର ବିଶେଷତ୍ବ ଓ ଏହାର ଆଦୃତି ଉପରେ ଆଲୋକପାତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ମହାରଥା, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମୀ ବିଶ୍ବାସ, ଋତୁରାଜ ପଟ୍ଟନାୟକ, ବୈଲୋଚନ ସାହୁ, ଶ୍ୟାମଘନ ମହାରଣା, ଉମାଶଙ୍କର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହରର ବହୁ ବୁଦ୍ଧିଜୀବୀ , ଛାତ୍ର ଓ ଯୁବକମାନେ ଉପସ୍ଥିତ ଥିଲେ |
