ଭୁବନେଶ୍ୱର ,ନିରପେକ୍ଷ ଖବର: ୨୮/୦୧/୨୦୨୦
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ଜାନୁଆରୀ ୨୬ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୦ ଆରମ୍ଭ ହୋଇଛି । ଏହି ମେଳାରେ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତଥା ଓଡ଼ିଶାର ପ୍ରତ୍ୟେକ ଉତ୍ପାଦକୁ ମାନ୍ୟତା ପ୍ରଦାନ ପାଇଁ ମେଳାରେ ଟସର ଦିବସ, ବୋମକାଇ ଦିବସ, କୋଟପାଡ ଦିବସ ଆଦି ପାଳିତ ହେଉଛି । ଜାନୁଆରୀ ୨୭ ତାରିଖ ଦିନ ଟସର ଦିବସ ଓ ଜାନୁଆରୀ ୨୮ ତାରିଖ ଦିନ ରେଶମ ଚାଷୀ ଦିବସ ପାଳିତ ହୋଇଛି । ଆମ ଦେଶ ଭାରତରେ ଚାରି ପ୍ରକାରର ସିá ବା ରେଶମ୍ ଉତ୍ପାଦନ ହୋଇଥାଏ । ସେହିଗୁଡ଼ିକ ହେଉଛନ୍ତି ମଲ୍ବେରି (ପାଟ), ଟସର (ମଠା), ଏରି (ଏଣ୍ଡି) ଓ ମୁଗା । ଟସର ମଧ୍ୟପ୍ରଦେଶ, ବିହାର ତଥା ଓଡ଼ିଶା ଜଙ୍ଗଲରେ ହେଉଥିବା ଟସର କୋଷାରୁ ଉତ୍ପାଦନ କରାଯାଇଥାଏ । ଏହା ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟତଃ ମିଳିଥାଏ । ଟସର ପୋକ ଶାଳ, ଅସନ ଓ ଅର୍ଜୁନ ଭଳି ଗଛର ପତ୍ର ଖାଇ ବଂଚେ ଓ ଟସର କୋଷା ପ୍ରସ୍ତୁତ କରେ । ଏହା ଜଙ୍ଗଲରେ ହେଉଥିବାରୁ ଏହାକୁ ବନ୍ୟ ରେଶମ କୁହାଯାଏ । ଟସର କୋଷ ଜଙ୍ଗଲରୁ ଆଦାୟ କାମରେ ସାଧାରଣତଃ ଜନଜାତିମାନେ ନିୟୋଜିତ ହୋଇଥାନ୍ତି । ଟସରର ସ୍ୱତନ୍ତ୍ର ହଳଦିଆ ରଙ୍ଗ ବିଶେଷ ଭାବରେ ଆଦୃତ ହେଉଥିବାରୁ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମରେ ଯଥା ବିବାହ ଓ
ପୂଜାରେ ଏହି ବସ୍ତ୍ରକୁ ବ୍ୟବହାର କରାଯାଏ । ଏହାକୁ ଅମ୍ଳାନ ବସ୍ତ୍ର ବୋଲି କୁହନ୍ତି । ଏହି ବସ୍ତ୍ର ପରିଧାନ କଲେ ଏକ ଜନଗହଳି ମଧ୍ୟରେ ସ୍ୱତନ୍ତ୍ର ଭାବରେ ବାରି ହୋଇଯାଏ । ପୁରୁଷମାନେ ବିବାହ ତଥା ପୂଜାରେ ଏହାକୁ ଜୋଡ଼ ତଥା ଧୋତି ଆକାରରେ ବ୍ୟବହାର କରନ୍ତି ଓ ମହିଳାମାନେ ବିଭିନ୍ନ ପର୍ବପର୍ବାଣିରେ ପରିଧାନ କରିବା ପାଇଁ ପସନ୍ଦ କରିଥାନ୍ତି । ନୂତନ ପିଢ଼ିର ମହିଳାମାନେ ପ୍ରିଣ୍ଟିଂ, ଏମ୍ବ୍ରୋଡରି, ବାନ୍ଧ ଓ ବୁଟି ସଜା ଶାଢ଼ି ବ୍ୟବହାର କରିଥାନ୍ତି । ଟସର କୋଷାରୁ ଟସର ସୂତା ବାହାରିବା ସଙ୍ଗେ ସଙ୍ଗେ ଏଥିରୁ ମଧ୍ୟ ଘିଚା, କାଣ୍ଟିଆ ଓ ରୁଢ଼ି ପ୍ରଭୂତି ସୁତା ବାହାର କରି
ଶାଢ଼ି, ଚଦର, ସ୍କାର୍ଭସ୍, ଷ୍ଟୋଲ୍ ଆଦି ସେଥିରୁ ପ୍ରସ୍ତୁତ କରାଯାଇପାରୁଅଛି । ସେହିପରି ଏହି ସୂତାକୁ ବ୍ୟବହାର କରି ଫର୍ଣିସିଙ୍ଗ୍ (ଲମ୍ବା ଥାନ) ପ୍ରସ୍ତୁତ କରାଯାଏ । ଟସର ବସ୍ତ୍ରକୁ ସାଧାରଣତଃ ଶୀତ ବସ୍ତ୍ର ଆକାରରେ ବ୍ୟବହାର କରାଯାଇଥାଏ । କାରଣ ଏହା ଦେହକୁ ଗରମ ପ୍ରଦାନ କରି ଶୀତ ଦାଉରୁ ଦେହକୁ ରକ୍ଷା କରେ । ଟସରକୋଷାରୁ ପ୍ରସ୍ତୁତ ଟସର ସୂତା, ଘିଚା, କାଣ୍ଟିଆ ଓ ରୁଢ଼ିରୁ ଶାଢ଼ି, ଜୋଡ, ଧୋତି, ଚାଦର, ଷ୍କାର୍ଭସ, ଷ୍ଟୋଲସ୍ମାନଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ବହୁତ ଚାହିଦା ରହିଛି । ଏହି ବସ୍ତ୍ର ସବୁ ଆମ ରାଜ୍ୟର ଯାଜପୁର ଜିଲ୍ଲାର ଗୋପାଳପୁର, ବାଲେଶ୍ୱର ଜିଲ୍ଲାର ମାଙ୍କିଡ଼ିଆ, କେଉଁଝର ଜିଲ୍ଲାର ଡିହାରକୁଳରେ ବୁଣାଯାଏ । ଟସର ବସ୍ତ୍ରକୁ ରାଜ୍ୟର ବିଭିନ୍ନ ଗ୍ରାହକମାନେ ବୁଣାକାର ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ସର୍ବୋପରି ବୟନିକା ଓ ସେରିଫେଡ୍ରୁ କ୍ରୟ କରିବାର ସୁବିଧା ପାଇଥାନ୍ତି । ଟସର ବସ୍ତ୍ର ବିକି୍ର ଦ୍ୱାରା ବୁଣାକାରମାନେ ନିୟମିତ କର୍ମଯୋଗାଣ ପାଇବା ସଙ୍ଗେ ସଙ୍ଗେ ଆଦିବାସୀ ଚାଷୀମାନେ ଚାଷ କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହାର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି । ଟସର ବସ୍ତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଟସର ବସ୍ତ୍ରକୁ କ୍ୟାଲେଣ୍ଡରିଂ ଓ ପ୍ରିଣ୍ଟିଂଗ୍ ପରେ ସରସ ସୁନ୍ଦର କରାଯାଉଛି ।
ଏଥି ପାଇଁ ରାଜ୍ୟ ସରକାର ବିଭିନ୍ନ ବୁଣାକାର ସମବାୟ ସମିତିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଜାତୀୟ ସ୍ତରୀୟ ହସ୍ତତନ୍ତ୍ର ମେଳା ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ଦିନ ୧୧ଟା ୩୦ରୁ ରାତି ୯.୩୦ ମିନିଟ୍ ପର୍ଯ୍ୟନ୍ତ ମେଳା ଖୋଲା ରହୁଛି ।