ଭୁବନେଶ୍ୱର,ନିରପେକ୍ଷ ଖବର: ୬/୨/୨୦୨୦- ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଫେସନ୍ ସୋ କାର୍ଯ୍ୟକ୍ରମ “ନାୟକୀ”ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଓଡିଶାରୁ ୧୦୦ଜଣ ପ୍ରତିଯୋଗି ଭାଗନେଇଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ । ସେହି ୧୦ଜଣ ବଛାବଛା ପ୍ରତିଯୋଗି ଏବଂ ଆହୁରି ଅନେକ କୁନିକୁନି ପିଲା ଖଦି ଓ ହାଣ୍ଡଲୁମ୍ ପୋଷାକ ପରିଧାନ କରି ର୍ୟାମ୍ପରେ ଚାଲିଥିଲେ । ଏହି ସବୁ ପୋଷାକକୁ ଡ୍ରେସ ଡିଜାଇନର “ବିଭାବରୀ” ଓ “ବସ୍ତ୍ରମ୍” ପ୍ରସ୍ତୁତ କରିଥିଲେ ।
ଓଡିଆ ଘରର ବିବାହ ସମୟରେ ନବବଧୂ ବେଶରେ ଖଦି ଓ ହସ୍ତତନ୍ତର ବ୍ୟବହାର ଏବଂ ଏତଦ୍ବ୍ୟତୀତ ଆମ ସରକାରୀସ୍ତରରେ ସ୍କୁଲ କଲେଜ ମାନଙ୍କରେ ପିଲାମାନଙ୍କର ୟୁନିଫମ୍ ଖଦି ଓ ହାଣ୍ଡଲୁମ୍ କୁ ବ୍ୟବହାର ମାଧ୍ୟମରେ ଖଦି ଓ ହାଣ୍ଡଲୁମ୍ ଉଦ୍ୟୋଗର ବିକାଶ ହୋଇପାରିବ ବୋଲି ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ସୋ ଷ୍ଟପର ମୁମ୍ବାଇର ବରିଷ୍ଠ ଟେଲିଭିଜନ ତାରକା ତଥା ମଡେଲ ‘ରଜତ ଟୋକାସ’ ଓ ଓଡିଶା ଚଳଚ୍ଚିତ୍ର ଜଗତର ଆଗଧାଡିର ଅଭିନେତ୍ରୀ ‘ଶିବାନୀ’ ।
ଓଡିଆଣୀ ବଧୂ ବେଶରେ ସୋଷ୍ଟପରର ଜୁନିୟର ମଡେଲ ବିଜେତା ‘ଶତଭିକ୍ଷା’ ବେଶ୍ ଆକର୍ଷଣୀୟ ଥିଲେ ।
ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ୧୦ଜଣ ପ୍ରତିଯୋଗିଙ୍କ ମଧ୍ୟରୁ ତିନିଜଣ ବିଜୟୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜୟିନୀ ମଂଜୁଳୀ ନାୟକ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଜୟିନୀ ରିସା ଜେନା ଓ ଶେଷରେ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟିନୀ ହେଉଛନ୍ତି ପାୟଲ୍ ଧଳ। ଏହି କାର୍ଯ୍ୟକ୍ରମଟିକୁ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ କରାଯାଇଥିଲା।
