ଭୁବନେଶ୍ୱର,ନିରପେକ୍ଷ ଖବର,ତା: ୦୩.୦୩ : ଆଜକୁ ଦୀର୍ଘ ଦୁଇବର୍ଷ ହେବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତାଲିମପ୍ରାପ୍ତ ଏ.ଏନ୍.ଏମ୍ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ ସଂଘର୍ଷ କରି ଆସୁଛି । ସରକାର ପ୍ରତ୍ୟେକ
ଥର ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ହଁ ରହିଯାଏ । ଜୁଲାଇ ୫ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ୧୫ ହଜାର ପାରା ମେଡ଼ିକାଲ କର୍ମୀଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । ଉକ୍ତ ପାରା ମେଡ଼ିକାଲ କର୍ମୀଙ୍କ ମଧ୍ୟରେ ଏନ୍.ଏନ୍.ଏମ୍ ମାନେ ଅନ୍ତର୍ଭୁକ୍ତ । ଓଡ଼ିଶାର ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଗତ ୨୩.୨.୨୦୨୦ରିଖରେ ଘୋଷଣା କରିଥିବା ମହିଳାମାନଙ୍କ ସଶକ୍ତିକରଣ କରିବାରେ ବିଜେଡ଼ିର ଲକ୍ଷ୍ୟ ବା ଆଭିମୁଖ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ ଗୋଟିଏ ପ୍ରଶ୍ନ, ତାଙ୍କ ରାଜ୍ୟରେ ୨୨ ହଜାରରୁ ଉର୍ଦ୍ଧ୍ୱ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦେବାରେ କେତେ ସଫଳତା ହାସଲ କରିଛନ୍ତି କହିବେ କି? ଦୀର୍ଘ ୧୩ ବର୍ଷ ଧରି ମହିଳାମାନେ ତାଲିମ ନେଇସାରିବା ପରେ ମଧ୍ୟ ସେମାନେ ଆଜି ନିଯୁକ୍ତି ନ ପାଇଁ ବେକାର ହୋଇ ରହିଛନ୍ତି, କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଗୋଟିଏ ପଟରେ ମହିଳାମାନଙ୍କୁ ସଶକ୍ତି କରିବା ପାଇଁ ମୁଖ୍ୟମନ୍ତ୍ରୀ ବାହୋସ୍ଫଟ ମାରୁଥିବା
ବେଳେ, ଅନ୍ୟପକ୍ଷରେ ତାଲିମପ୍ରାପ୍ତ ମହିଳାମାନେ ନିଯୁକ୍ତି ପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଛନ୍ତି । ଡ଼ିସେମ୍ବର ୩୦ ତାରିଖରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଶତାଧିକ ମହିଳାଙ୍କୁ ଶିଶୁଭବନ ଛକରେ ପୋଲିସ୍ ଦ୍ୱାରା ଗିରଫ ହୋଇଥିଲେ । ଏହାପରେ ସରକାର ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ ଯେ, ଫେବୃୟାରୀ ୧୫, ୨୦୨୦ ସୁଦ୍ଧା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି । ଚଳିତ ବିଧାନସଭା ବଜେଟ ଅଧିବେଶନରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ
କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାଁନ୍ତି । ଆସନ୍ତା ବିଶ୍ୱ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କରିବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ । ଯଦି ଆସନ୍ତା ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ମାର୍ଚ୍ଚ ୧୪ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ,କାର୍ଯ୍ୟକାରିଣୀ ସଭାପତି ବିଷ୍ଣୁପ୍ରିୟା ଖଣ୍ଡେଇ, କୋଷାଧ୍ୟକ୍ଷ ମମତା ସାହୁ, ଜଗତସିଂହପୁର ଜିଲ୍ଲା ସଭାପତି ସୋନାଲି ମହାନ୍ତି,
ସାବିତ୍ରୀ ଲେଙ୍କା, କୁଞ୍ଜଲତା ନାୟକ, ହରପ୍ରିୟା ପ୍ରଧାନ, ପଙ୍କଜିନୀ ନାୟକ, ଲକ୍ଷ୍ମୀପ୍ରିୟା ଦେହୁରୀ, ସଙ୍ଗୀତା ରାଉଳ, ଲଳିତା ପଣ୍ଡା, ତପସ୍ୱିନୀ ବେହେରା, ଦୀପ୍ତି ପଟ୍ଟନାୟକ ଓ ସମସ୍ତ ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ ।
