ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୫.୫ – ବର୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି । ସରକାର କିଭଳି ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି ପାରୁନି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପ୍ରେସ୍ ବାର୍ତା ମାଧ୍ୟମରେ କହିଛନ୍ତି । ବିଭିନ୍ନ କ୍ୱାରେନ୍ଟାଇନ୍ ସେଂଟର ବର୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ । ଯେଉଁମାନେ କ୍ୱାରେନ୍ଟାଇନ୍ରୁ ଡିସ୍ଚାର୍ଜ ହୋଇ ଯାଉଛନ୍ତି, ସେମାନଙ୍କୁ ଯେଉଁ ୨ ହଜାର ଟଙ୍କା ଲେଖାଏଁ ଦେବାକଥା ତାହା ଦିଆଯାଉନାହିଁ । କ୍ୱାରେନ୍ଟାଇନ୍ ସେଂଟରରେ ବଗିଚା କାମ ଓ ରଙ୍ଗ କାମ କେତେ ବାଟ ଗଲା ତାହା କେହି କିଛି
ଜାଣି ପାରୁନାହାନ୍ତି । ତେଣୁ କ୍ୱାରେନ୍ଟାଇନ୍ ସେଂଟର ଶୃଙ୍ଖଳିତ ଭାବେ ଚାଲୁନାହିଁ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଯେଉଁ ପ୍ରବାସୀମାନେ ଫେରୁଛନ୍ତି, ସେମାନଙ୍କୁ ସରକାର କହିଥିଲେ କି ଚାଉଳ, ଡାଲି ଦେବେ ତାହା ମଧ୍ୟ ଦେଉନାହାନ୍ତି । ଯେଉଁ ଏନ୍ଆରଜିଏସ୍ କାର୍ଯ୍ୟ ଆରମ୍ଭ ହେବା କଥା ତାହା ମଧ୍ୟ କରାଯାଉ ନାହିଁ । ଖୁବ୍ କମ୍ ଦିନ ମଧ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯିବ । ଲୋକ କେବେ କାମ କରିବେ? ସବୁଠାରୁ ଚିନ୍ତାର ବିଷୟ ଯେ ପ୍ଲେନ୍ ଆସୁଛି, ଟ୍ରେନ୍ ଆସୁଛି କିନ୍ତୁ ଆମ ସରକାର ଜାଣି ପାରୁନାହାନ୍ତି କି ଆମ ସରକାରଙ୍କୁ ଖବର ଦିଆଯାଉନାହିଁ । ଗତକାଲି ହଜାର ହଜାର ଲୋକ ଆସି ପହଂଚିଛନ୍ତି । ସେମାନଙ୍କ ଅବସ୍ଥା କହିଲେ ନସରେ । କିନ୍ତୁ ଆମ
ସରକାର ତାହା ଜାଣି ପାରୁ ନାହାନ୍ତି । ଏବେ କ୍ୱାରେନ୍ଟାଇନ୍କୁ ୨୧ ଦିନ ପରିବର୍ତେ ୭ ଦିନ କରିଦିଆଯାଇଛି, ଏବେ ଅବସ୍ଥା କ’ଣ ହେବ? କେଉଁ ଅବସ୍ଥା ଆଡକୁ ବର୍ତମାନ ଆମ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ବର୍ତମାନ ସରକାର ଉପରକୁ ହାତ ଟେକି ଦେଇଛନ୍ତି । ପ୍ରଶାସନ କ’ଣ କରିବାକୁ ଚାହୁଁଛନ୍ତି କିଛି ବୁଝାପଡୁନି । ଆଜି ଓଡିଶା ସାଂଘାତିକ ପରିସ୍ଥିତିରେ ପହଂଚିଲାଣି । ଗୁଜୁରାଟକୁ ମଡର୍ଣ୍ଣ ରାଜ୍ୟ ଭାବେ କୁହାଯାଉଥିଲା । ବର୍ତମାନ ମଧ୍ୟ ସେଠାକାର ପରିସ୍ଥିତି ସମାନ । ଆମ ପାଇଁ କେବଳ ଜଗନ୍ନାଥ ହିଁ ଭରସା । ଆଉ କେହି ନାହାନ୍ତି । ଜଗନ୍ନାଥ ଏଇ ଓଡିଶାବାସୀଙ୍କୁ ରକ୍ଷା
କରନ୍ତୁ । ଏଥିରୁ ସରକାରଙ୍କର ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ମନୋବୃତି ନଥିଲା ପରି ଜଣାପଡୁଛି । ସରକାରଙ୍କର କୌଣସି ନିଷ୍ପତି ଠିକ୍ରେ ଚାଲୁନାହିଁ । ରାଜ୍ୟ ସରକାରଙ୍କ ଅନ୍ଲାଇନ୍ ମଦ ବିକ୍ରୀ ନିଷ୍ପତି ସଂପର୍କରେ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ଲକ୍ଡାଉନ ଶେଷ ପର୍ଯ୍ୟନ୍ତ ମଦ ବିକ୍ରୀ ବନ୍ଦ କରିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା କାରଣ ଲକ୍ଡାଉନ ସମୟରେ ଏତେ କ୍ଷତି ହେଲାଣି, ଆଉ ୪/୫ ଦିନ ମଦ ବନ୍ଦ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା । ବର୍ତମାନ ସମୟ ଆସିଛି ଓଡିଶାର ଜନସାଧାରଣ ମଦ ବିକ୍ରୀକୁ ବିରୋଧ କରିବା ପାଇଁ । ଏହି ସମୟରେ ସରକାରଙ୍କୁ ଏକ ସୁଯୋଗ ମିଳିଥିଲା ଯେ ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିପାରିଥାନ୍ତେ । ଏହି କରୋନା ଏକ ଦୁର୍ଯୋଗ । କିନ୍ତୁ ସରକାରଙ୍କୁ ଏହି ସମୟରେ ବହୁତ ଗୁଡିଏ ଯେଉଁ ସୁଯୋଗ ମିଳିଥିଲା, ତାକୁ ଠିକ୍ ରୂପେ ବ୍ୟବହାର କରିପାରିଲେ ନାହିଁ କି ଶାସନକୁ ଶୃଙ୍ଖଳିତ କରିପାରିଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ
କରିଛନ୍ତି ।
