ବାରିପଦା(ନିରପେକ୍ଷ ଖବର)ତା:୦୭/ଜାନୁଆରୀ/୨୦୨୦-ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ଆଦାନୀ କିସ ରେସିଡେନସିଆଲ ସ୍କୁଲର ମୟୁରଭଞ୍ଜ ଠାରେ ସ୍ଥାପିତ ହୋଇଥିବା ଶାଖା ଉଦଘାଟନ କରିବେ।ଏଥି ସମେତ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସଭାସ୍ଥଳ ରେ ନିଜେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ,ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକାରୀ ପି ପରମାର ପୁରୁଷୋତ୍ତମ ଦାସ ଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ସଭା ସ୍ଥଳରେ ଉପସ୍ଥିତ ରହି ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଆସନ୍ତା କାଲି ସକାଳ ୧୧ ଟା ସମୟରେ ହେଲିକେପ୍ଟର ଯୋଗେ ଆଦାନୀ କିସ ପଡିଆରେ ପହଞ୍ଚିବାକୁ ଥିବାବେଳେ ତାଙ୍କର ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି। ସେପଟେ ଆସନ୍ତା କାଲି ଶ୍ରମିକ ସଙ୍ଗଠନ CITU ର ଭାରତ ବନ୍ଦ ଡାକରା ଦେଇଛି।


ଏହି ଡାକରାକୁ ଝାରଖଣ୍ଡ ମୁକ୍ତି ମୋର୍ଚା ମଧ୍ୟ ସମର୍ଥନ ଦେଇଛି। ଏହି ବନ୍ଦର ପ୍ରଭାବ ଅଧିକ ଅନୁଭୂତ ହେବାର ଲକ୍ଷ୍ୟ ହେଉଛି। ସେହିପରି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ବଜରଙ୍ଗ ସେନା କଳା ପତାକା ଦେଖାଇବାର ଧମକ ଦେଇଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇ ରହିଛି।
