ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୫ ରଙ୍ଗିଲା ପୋଲିସ୍ ବାବୁ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। ଭଲପାଇବା, ଧୋକା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ପୋଲିସ୍ ସବ୍-ଇନସ୍ପେକ୍ଟର ରାକେଶ ସାମଲ ଆଇନ୍ ଜାଲରେ ଧରାପଡ଼ିଲେ। ରାଉରକେଲା ପୁଲିସ୍ ର ସହଯୋଗରେ କମିଶନରେଟ ପୁଲିସ୍ ରାକେଶକୁ ଠାବ କରିଛି । ରାଉରକେଲା ରଘୁନାଥପାଲ୍ଲୀ ଥାନା ପୁଲିସ୍ ରାକେଶକୁ ଅଟକ ରଖିଛି । କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଆଣିବାକୁ ରାଉରକେଲା ଗସ୍ତ କରିଛି । ଜେରା ପରେ ରାକେଶ ଠାରୁ ଗାଡ଼ି ଚୋରି ନେଇ ତଥ୍ୟ ସଂଗ୍ରହ କରିବ ବୋଲି ପୁଲିସ ଆଶା ରଖିଛି । ରାକେଶ ବିରୋଧରେ ମହିଳା ଥାନାରେ ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବତୀ ଭୁବନେଶ୍ୱରରେ ଭଡ଼ାରେ ରହି ଏକ ଘରୋଇ କମ୍ପାନୀରେ ଚାକିରୀ କରିଛନ୍ତି । ୨୦୧୯ ଅଗଷ୍ଟ ମାସରେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କର ପୁଲିସ୍ ଏସଆଇ ରାକେଶ ସହ ପରିଚୟ ହୋଇଥିଲା । ପରେ ଯୁବତୀ ଜଣକ ସହ ରାକେଶ ନିୟମିତ କଥାବାର୍ତା ହେବା ସହ ନିଜେ ଜଣେ ପୁଲିସ୍ ବୋଲି ପରିଚୟ ଦେଇଥିଲେ । ଯୁବତୀ ଜଣକ ଏକ ଗାଡି କିଣିବାକୁ ଚାଂହୁଥିବା ବେଳେ ସେ ତାଙ୍କୁ କମଦାମରେ ଗାଡି ଯୋଗାଇ ଦେବାକୁ କହିଥିଲେ । ଏଥିପାଇଁ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ପରବର୍ତି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ରାକେଶ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏପରକିି ଦୁହେଁ ଲିଭ ଇନ୍ ରିଲେସନସିପ୍ ରେ ରହିଥିଲେ । ୨୦୨୦ ଜାନୁଆରୀରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ ।ସେଥିପାଇଁ ସେ ପୋଲିସ୍ ବାବୁଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ହେଲେ ରାକେଶ ତାଙ୍କୁ ପୋଲିସ୍ ପଦବୀର ଦୁରୁପଯୋଗ କରିବା ସହ ଭୟ ଦେଖାଇ ଗର୍ଭନଷ୍ଟ କରିବାକୁ କହିଥିଲେ । ପିିଡ଼଼ିତା ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ରାକେଶ ଶେଷରେ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କୁ ମେଡିସିନ ଦେଇ ଗର୍ଭନଷ୍ଟ କରାଇଥିଲେ । ଏହା ପରେ ସେ ତାଙ୍କ ସହ ସମସ୍ତ ସମ୍ପର୍କ ମଧ୍ୟ ଛିନ୍ନ କରି ଦେଇଥିଲେ । ଏପରିକି ଗାଡି ପାଇଁ ନେଇଥିବା ଟଙ୍କା ଫେରସ୍ତ ମଧ୍ୟ କରିନଥିଲେ। ପିିଡ଼଼ିତା ରାକେଶଙ୍କ ସହ ବାରମ୍ବାର ଯୋଗାଯୋଗ କରିିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ଏପରିକି ରାକେଶଙ୍କ ପରିବାର ଲୋକେ ତା’ ସମ୍ପର୍କରେ କିଛି କହିନଥିଲେ । ଶେଷରେ ନିରାଶ ହୋଇ ପୀଡିତା ଜଣକ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ରାକେଶ ଗତ ଏକମାସ ହେଲା ବିନା ଦରଖାସ୍ତରେ ଛୁଟିରେ ଥିବାରୁ ପୁଲିସ୍ ତାଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିଲା ।
