ଭୁବନେଶ୍ୱର, ନିରପେକ୍ଷ ଖବର:ତା,୦୪/୦୬ ରାଜ୍ୟ ରାଜଧାନୀକୁ ପୁଣି ଫେରିଲା କରୋନା। ଆଜି ଭୁବନେଶ୍ୱରରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଆଇଗିଣିଆ, ଡୁମୁଡୁମା, କଳିଙ୍ଗବିହାର ଓ ପାତ୍ରପଡା ଅଂଚଳର । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଏମ୍ସ ମେଡ଼ିକାଲ୍ କର୍ମଚାରୀ ଅଛନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । କଳିଙ୍ଗବିହାର ଅଂଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ହୋମ କ୍ୱାରେନଟାଇନରେ ଥିଲେ । ଆଉ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ୩ଜଣ ସ୍ଥାନୀୟ ଅଂଚଳର ଆକ୍ରାନ୍ତ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଆଇଗିଣିଆ, ଡୁମୁଡୁମା ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଅନ୍ୟଜଣେ ଏମ୍ସ ମେଡ଼ିକାଲ କର୍ମଚାରୀ । ତେବେ କିଛିଦିନ ହେଲା ଭୁବନେଶ୍ୱରରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ୪ଜଣ ଚିହ୍ନଟ ହେବା ପୁଣି ପ୍ରଶାସନକୁ ଚିନ୍ତାରେ ପକାଇଛି । ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୭ଜଣ ଚିକିତ୍ସିତ ହେଉଥିବା ବେଳେ ୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

