ବାରିପଦା(ନିରପେକ୍ଷ ଖବର)ତା-୦୮/୦୬-ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ମାନବିକତା ହଜିଯାଉଛି। ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଦୟାର ମନଭାଵ ଏମାନଙ୍କ ମଧ୍ୟ ଦେଖିବାକୁ ମିଳୁନାହିଁ।ଲୋକମାନଙ୍କ କ୍ରୁରତାରୁ ଏମାନେ ବର୍ତ୍ତି ପାରୁନାହାନ୍ତି।ଏହି ଭଳି ଏକ କ୍ରୁର ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଥାନା ଅଧୀନ ଜଡିଦା ପଞ୍ଚାୟତ ଜଡିଦା ଗ୍ରାମ ଅଞ୍ଚଳରେ। ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଏସିଡ ମାଡ କରିଥିବା ସୂଚନା ମିଳିଛି।ଏହା ଫଳରେ ତାଙ୍କର ପେଟ, ଛାତି, ଜଙ୍ଘ ଓ ପିଠିର ଅର୍ଦ୍ଧାଧିକ ସ୍ଥାନ ପୋଡି ହୋଇଯାଇଛି। ପୋଡି ହୋଇଥିବା ମାନସିକ ବିକାରଗ୍ରସ୍ତ ଯୁବକ ଜଣକ ହେଲେ ସେହି ଗ୍ରାମର ଶିବ ପ୍ରସାଦ। ଗତ ଶନିବାର ରାତି ଶିବ ପ୍ରସାଦ ଖାଇ ସାରି ଘରଠାରୁ ଅଳ୍ପ ଦୂରରେ ଥିବା ଏକ ହୋମପାଇପ ଉପରେ ଶୋଇଥିଲେ। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ, ଯନ୍ତ୍ରଣା ହେବାରୁ ସେ ଘରକୁ ଦୌଡି ଆସି ମାଆକୁ ଡାକିଥିଲେ। ତାଙ୍କ ମାଆ କବାଟ ଖୋଲିବା ପରେ ତାଙ୍କ ଦେହରେ ବହୁତ କଷ୍ଟ ହେଉଥିବାର ସେ କହିଥିଲେ। ଏହାପରେ ଶିବ ପ୍ରସାଦଙ୍କ ମାଆ ତାଙ୍କ ଦେହରୁ ଶାର୍ଟ ଖୋଲିବା ପରେ ତାଙ୍କ ଦେହର ଅର୍ଦ୍ଧାଧିକ ସ୍ଥାନ ପୋଡି ହୋଇ ଯାଇଥିବାର ଦେଖିବାକୁ ପାଇଥିଲେ। ତାଙ୍କ ଶରୀରରୁ ଏସିଡ ବାସ୍ନା ବାହାରୁ ଥିବାରୁ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ ମାଡ କରିଥିବାର ଜଣାପଡିଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନା ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ଘରକୁ ନେଇ ଯାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସୋମବାର ପୁଣି ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହା ଏସିଡ ମାଡ ବୋଲି ପ୍ରକାଶ କରିଛନ୍ତି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉପରକୁ ଏସିଡ ମାଡ କରିବା ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି।

