ନୂଆଦିଲ୍ଲୀ,ନିରପେକ୍ଷ ଖବର:୦୯/୦୬ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହା ଉପରେ ଆଜି ମୋହର ମାରିବା ପରେ, କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଶ୍ରୀ ରଥଙ୍କ ଯୋଗଦାନ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞିବ ।
ଗତ ଜାନୁୟାରୀ ମାସ ୨୨ତାରିଖରେ ସୁପ୍ରିମକୋର୍ଟ କଲିଜିୟମ୍ କେନ୍ଦ୍ର ସରକାରଙ୍କୁ ସୁଶ୍ରୀ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲା। ସାବିତ୍ରୀ ରଥ ହେଉଛନ୍ତି ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସ୍ୱର୍ଗତଃ ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ଝିଅ ।।
ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରିବେ। ତାଙ୍କ ପୂର୍ବରୁ ଜଷ୍ଟିସ ଅମୀୟ କୁମାରୀ ପାଢ଼ୀ ( ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସ୍ୱର୍ଗତଃ ଶ୍ୟାମସୁନ୍ଦର ପାଢୀଙ୍କ ଧର୍ମପତ୍ନୀ ) ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ସମ୍ମାନଜନକ ପଦବୀ ଅଳଂକୃତ କରିସାରିଛନ୍ତି।
ଓଡିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଶ୍ରୀମତୀ ଅମୀୟ କୁମାରୀ ପାଢୀ ୧୯୮୮ ମସିହା ଏପ୍ରିଲ ୧୮ ତାରିଖରେ ଦାୟିତ୍ୱ ଗ୍ରହଣ କରି ୧୯୯୫ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ବିଚାରପତି ପଦବୀରୁ ଅବସର ଗ୍ରହଣ କରିଥିଲେ ।
