ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ସାନ୍ତାଳି ସମ୍ପ୍ରଦାୟର ଏକ ପୂଜା ଚାଲିଥିଲା ବେଳେ ବଜ୍ରପାତରେ ଚାଲିଗଲା ଜୀବନ।ଅପରାନ୍ହ ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଚାଲିଯାଇଥିଲା ଏକ ଅମୂଲ୍ୟ ଜୀବନ ଓ ଏଥି ସହିତ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି।ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ସାନ୍ତାଳି ସମ୍ପ୍ରଦାୟର ଏକ ବିଶେଷ ପୂଜା ଚାଲିଥିଲା ବେଳେ ହଠାତ ବର୍ଷା ସହିତ ଘଡଘଡି ହୋଇଥିଲା। ବଜ୍ରପାତ ହେବା ଫଳରେ କୁଅଁରଡିହି ଗ୍ରାମର ୬୫ ବର୍ଷୀୟ ନାରାୟଣ ହଂସଦାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୧୦ଜଣ ଗୁରୁତର ହୋଇଥିଲେ ,ଗୁରୁତର ମାନଙ୍କୁ ଶିର୍ଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥି ମଧ୍ୟରୁ ୨ ଜଣକ ଅବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରେ ଝାରପୋଖରୀଆ ପୋଲିସ ଓ ସାରସକଣା ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତକଙ୍କ ପରିବାର କୁ ସରକାରୀ ନିୟମ ଅନୁଯାଇ କ୍ଷତିପୁରଣ ପ୍ରଦାନ କରାଯିବ ବୋଲି ସାରସକଣା ତହସିଲଦାର ସତ୍ୟବାନ ନାୟକ କହିଛନ୍ତି।

