ଭୁବନେଶ୍ୱର,୧୧/୧୧/୨୦୧୮ ଠାରୁ ୧୫/୧୧/୨୦୧୮ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏହାକୁ ସର୍ବକାଳୀନ ବଡ଼ ବିଜନେସ୍ ଇଭେଣ୍ଟ ବୋଲି ରାଜ୍ୟ ସରକାର କହୁଛନ୍ତି। ଏଥିରେ ମୁଖ୍ୟତ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସି-ଫୁଡ୍, କେମିକାଲ୍ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଓ ପୋଷାକ, ଇଲେଟ୍ରୋନିକ୍ସ ଓ ଆଇଟି ଭଳି କ୍ଷେତ୍ର। ଏହାସହ ୨୪ଟି ସେକ୍ଟରରେ ନିବେଶକ ସହ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଛି। ୧୧/୧୧/୨୦୧୮ତାରିଖ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହେବ। ପ୍ରଥମ ଦିନ ରହିଛି ବିଜ୍ନେସ୍ ଲିଡରସିପ୍ ମିଟ୍। ୨୦୧୬ ମେକ୍-ଇନ୍-ଓଡ଼ିଶା ତୁଳନାରେ ଏଥର ଅଧିକ ପୁଞ୍ଜି ଆସିବ ବୋଲି ସରକାର ଆଶା ରଖିଛନ୍ତି।
କିନ୍ତୁ ଏହାକୁ ବିରୋଧ କରିଛନ୍ତି ବିରୋଧୀ ଦଳ କଂଗ୍ରେସ ଓ ବିଜେପି । ବିଜେପି ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ଅଭିଯୋଗ କରିଛି। ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ ବା ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ଜମି ଅଧିଗ୍ରହଣଠୁ ଆରମ୍ଭ କରି ଉତ୍ପାଦନ ଆଦି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଥିବା କହିବା ସହ ଏହି କାର୍ଯ୍ୟକ୍ରମ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।
ଅନ୍ୟପଟେ ବିରୋଧୀ କଂଗ୍ରେସ ଦଳ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ନିନ୍ଦା କରିବା ସହ ଏହି କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଯେଉଁମାନେ ଆସିଛନ୍ତି ଓ ଯେଉଁମାନେ ଅସୁଛନ୍ତି କାନ୍ଦୁଛନ୍ତି। ୧୮ ବର୍ଷ ମଧ୍ୟରେ କୋୖଣସି ଶିଳ୍ପ ପ୍ରତିଷ୍ଠା ହୋଇନାହିଁ କି କର୍ମ ନିଯୁକ୍ତିର ବ୍ୟବସ୍ଥା ହୋଇନାହିଁ। ୪ ମାସ ଭିତରେ ହୋଇଯିବ ବୋଲି କେମିତି ସରକାର ଭାବୁଛନ୍ତି। ନିର୍ବାଚନ ପାଖେଇ ଆସିଲାଣି, ଏହା କେବଳ ସେଥିପାଇଁ ଏକ ପ୍ରକାର ବିଜେଡିଦଳର ପ୍ରଚାରର ମାଧ୍ୟମ ଅଟେ।ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟ ସରକାର ରାଜ୍ୟର ଉନ୍ନତି ପାଇଁ ବ୍ୟବହାର କରିବା ଉଚିତ୍ ।ନୁହେଁ କି ସରକାର ରାଜ୍ୟର ଅର୍ଥକୁ ମେକ୍-ଇନ୍-ଓଡ଼ିଶା ନାରେ ନିଜ ଦଳର ପ୍ରଚାର ଓ ପ୍ରସାର କରନ୍ତୁ। ଏହା ରାଜ୍ୟ ବାସୀଙ୍କୁ ବୋକା ବନେଇବା ବ୍ୟତୀତ ଆଉ କିଛି ନୁହେଁ ।
