ଭୁବନେଶ୍ୱର (ନିରପେକ୍ଷ ଖବର): ଚାଷୀଙ୍କ କଲ୍ୟାଣ ପାଇଁ ମନ୍ତ୍ରିସ୍ତରୀୟ କମିଟିର ଦ୍ୱିତୀୟ ବୈଠକ ହୋଇଯାଇଛି। ବୈଠକରେ କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ୨୬ଟି ଚାଷୀ ସଂଗଠନର କର୍ମକର୍ତ୍ତା, କୃଷି ବିଶେଷଜ୍ଞ, ଅଗ୍ରଣୀ ଚାଷୀ ଓ ସାମାଜିକ କର୍ମୀ ଯୋଗଦେଇ ଚାଷୀ ଏବଂ ଚାଷ ସମସ୍ୟା ନେଇ ଆଲୋଚନା କରିଥିଲେ।କୃଷିଋଣ ସମସ୍ୟା, ଗୋଦାମ ଗୃହ ଅଭାବ, ପୋକ ସମସ୍ୟା, ନକଲି ବିହନ, ମଣ୍ଡିରେ ଖାଦ୍ୟ ପାନୀୟ ସୁବିଧା ପ୍ରଚଳନ, ଏମ୍ଏସ୍ପି ବୃଦ୍ଧି ଓ ବିନା ଟଙ୍କାରେ ଫସଲ ବୀମା ଭଳି ସୁବିଧା କାର୍ଯ୍ୟକାରୀ କରାଇବା ନେଇ ଏଥିରେ ପ୍ରସ୍ତାବ ରଖାଯାଇଥିଲା।ତେବେ ଚାଷୀ ସୁରକ୍ଷା ଭତ୍ତା ପ୍ରସ୍ତାବକୁ ସ୍ଥାନ ଦିଆଯାଇ ନଥିବାରୁ ନବନିର୍ମାଣ କୃଷକ ସଂଗଠନ ମୁଖ୍ୟ ଅକ୍ଷୟ କୁମାର ବୈଠକକୁ ବର୍ଜନ କରିବା ସହ ୬ ଦିନ ଅନଶନରେ ବସୁଛନ୍ତି।
