କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେଲେ…
ପିପିଲି ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା ପ୍ରଦୀପ ମହାରଥୀ ନିଜ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି..
ଭୁବନେଶ୍ୱର ନିରପେକ୍ଷ ଖବର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷମୁକ୍ତ କରିଥିଲେ। ଏହା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ କୋର୍ଟ ରାୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସତ୍ୟର ଜୟ ହୋଇଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ସେ କହିଥିଲେ। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଉଭୟ ଦଳର ମହିଳା ମୋର୍ଚ୍ଚା ମହାରଥୀଙ୍କ ଇସ୍ତଫା ଦାବି କରିଥିଲେ । ଉଭୟ ଦଳର ହଜାର ହଜାର ମହିଳା କର୍ମୀ ରାଜରାସ୍ତାକୁ ଓହ୍ଲାଇ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇଥିଲେ। ପ୍ରତିଦିନ ଦୁଇ ଦଳର ମହିଳା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିବା ସହ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଅଣ୍ଡା, ବିଲାତି ମାଡ଼ କରିବାରେ ମଧ୍ୟ ପଛାଇନଥିଲେ। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ ମଧ୍ୟ କହିଥିଲେ। ଆଜି ସେ ନିଜପଦରୁ ଇସ୍ତଫା ଦେଇଛନ୍ତି । ୨୦୧୨ ମସିହା ପରେ ସମାନ ଘଟଣାରେ ମହାରଥୀ ୨୦୧୯ରେ ଇସ୍ତଫା ଦେଲେ।
