ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ବାତ୍ୟାଞ୍ଚଳ ଦେଖିବାପରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ମିଛରେ ନାନା ପ୍ରକାର ସାହାଯ୍ୟ ଘୋଷଣା କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ରେ ରହିବେ। ଗଜପତି ଜିଲ୍ଲାର ଗ୍ରାମରେ ୧୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାଜ୍ୟ ସରକାର ଉକ୍ତ ଗ୍ରାମ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିବା ଏବଂ ସେଠାକୁ ଗମନାଗମନ ସୁବିଧା ନଥବା ଦର୍ଶାଇ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଉଦ୍ୟମ କରୁଛନ୍ତି। ରାଜ୍ୟବାସୀଙ୍କୁ ସ୍ମରଣ କରାଇଦେଇ ଶ୍ରୀ ସିଂହ କହିଛନ୍ତି ଯେ, ୨୦୧୬ରେ ନଗଡ଼ାରେ ପୁଷ୍ଟିହୀନତା ଜନିତ ମୃତ୍ୟୁ ଘଟଣା ପରେ ନବୀନ ବାବୁ କହିଥିଲେ- ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ସବୁଦିନିଆ ରାସ୍ତା ନିର୍ମାଣ କରିବେ। ସେଥିପାଇଁ ସରକାର ୧୫୦ଟି ଗାଁକୁ ଚିହ୍ନଟ କରିଥିଲେ। ଦୁଇବର୍ଷରୁ ଅଧିକ ସମୟ ଅତିବାହିତ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିଥିଲେ, ୧୮ଜଣ ଆଦିବାସୀଙ୍କ ଜୀବନ ସୁରକ୍ଷିତ ରହିପାରିଥାନ୍ତା ବୋଲି ଶ୍ରୀ ସିଂହ କହିଛନ୍ତି।
ସେହିପରି ବାତ୍ୟା ପ୍ରସ୍ତୁତିବେଳେ ଗୋଟିଏ ହେଲେ ଜୀବନ ହାନି ଘଟାଇବାକୁ ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କେବଳ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ବାତ୍ୟା ଓ ବର୍ଷାରେ ୭୦ରୁ ଅଧିକ ଲୋକଙ୍କ ଶବ ଉଦ୍ଧାର ହୋଇଥିଲେ ସୁଦ୍ଧା ସରକାରୀ ମୃତ୍ୟୁସଂଖ୍ୟା ମାତ୍ର ୬୧ରେ ରହିଛି। ରାଜ୍ୟ ସରକାର ଭାରତୀୟ ପାଣିପାଗ ବିଭାଗର ପୂର୍ବ ସତର୍କ ସୂଚନାକୁ ଗୁରୁତ୍ୱର ସହିତ ଗ୍ରହଣ କରି ତାହାର ଆଧାରରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସ୍ଥାନୀୟ ସ୍ତରରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲେ ଏଭଳି ମୃତାହତ ଘଟଣାକୁ ରୋକାଯାଇ ପାରିଥାନ୍ତା। ସମୁଦାୟ ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଥିବା ଜିଲ୍ଲା ଗଞ୍ଜାମ ଉପରେ ଦୃଷ୍ଟି ରଖିଲା। ବାତ୍ୟା ‘ତିତ୍ଲି’ ସ୍ଥଳଭାଗକୁ ପ୍ରବେଶ କରିବା ଦିନ ଏସଆରସିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରୁ ଏହି ଅଭିଯୋଗ ସତ ପ୍ରମାଣିତ ହୋଇଛି।ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା , ତିତଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଫୁଲବାଣୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ବାତ୍ୟା ପରବର୍ତ୍ତୀ ସମୟରେ ବର୍ଷା ହେବା ଆଶା କରାଯାଉନଥିଲା ବୋଲି ସରକାର ପ୍ରମାଣିତ କରିବାକୁ ଚାହୁଁଛନ୍ତି, ତାହା ମିଛ ବୋଲି ପ୍ରମାଣିତ ହେଉଛି। ଗଣମାଧ୍ୟମ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସରକାରୀ ସଂସ୍ଥାଗୁଡିକ ରିଲିଫ ପରିଚାଳନା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ତୁରନ୍ତ ପୁନର୍ଗଠନ କାର୍ଯ୍ୟ ହାତକୁ ନେବାରେ ବିଫଳ ହୋଇଛନ୍ତି। ଏହାବ୍ୟତୀତ ପ୍ରଭାବିତ ଅଂଚଳରେ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟ ଧୀର ଗତିରେ ଚାଲିଥିବାରୁ ତାହାକୁ ଶ୍ରୀ ସିଂହ ସମାଲୋଚନା କରିଛନ୍ତି।
ଏହି ସାମ୍ବାଦିକ ସମିଳନୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ଯୁଗ୍ମ ସଂପାଦକ ଅନିଲ୍ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ
