ବାଲେଶ୍ବର ନିରପେକ୍ଷ ଖବର:୨୪/୦୪/୨୦୧୯ ,ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା ପାଇଁ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଏକ ବିଶାଳ ରୋଡ୍ ସୋ ଜରିଆରେ ବାଲେଶ୍ୱରରୁ ବାରିପଦା ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।ବିଶାଳ ଜନସମାବେଶ ଓ ହଜାର ହଜାର ଲୋକଙ୍କ ସମାଗମ ଭିତରେ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ବିଭିନ୍ନ ସ୍ଥାନରେ ଅଟକି ଜନତାଙ୍କୁ ସମ୍ବୋଧିତ କରିଥିଲେ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ରୋଡ ସୋ’ ନଥିଲା ନବୀନଙ୍କ ପ୍ରଚାର । ବିଭିନ୍ନ ନିର୍ବାଚନ ସଭାରେ ମଧ୍ୟ ଯୋଗ ଦେଇ ମୋଦି ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ ନବୀନ ବାଲେଶ୍ୱର ପରେ ବାରିପଦା ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ । ମୁଖ୍ୟମନ୍ତ୍ରୀଙ୍କୁ ଥରେ ଦେଖିବା ପାଇଁ ଏବଂ ପଦେ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଥିଲା । ଆଉ ଏସବୁ ଭିତରେ ଭୋଗରାଇ, ବସ୍ତା, ରେମୁଣା ଆଦି ଅଚଂଳରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ହେଉଥିବା ବେଳେ ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଶକ୍ତି ଲଗାଇ ଦେଇଛି ବିଜେଡି ।
