ଦିଲ୍ଲୀ, ନିରପେକ୍ଷ ଖବର:ତା”୦୬/୦୮/୨୦୧୯ ମୋଦି ସରକାରଙ୍କ ବଡ ସଫଳତା । ରାଜ୍ୟସଭା ପରେ ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଲୋକସଭାରେ ଏହି ବିଲ୍ କୁ ଗୃହମନ୍ତ୍ରୀ ଅମିତ୍ ଶାହା ଉପସ୍ଥାପନ କରିଥିଲେ। ଗୃହରେ ବହୁମତ କାରଣରୁ ଏହି ବିଲ୍ ସହଜରେ ପାରିତ ହୋଇଥିଲା। ଏହି ବିଲ୍ ପାରିତ ହେବା ପୂର୍ବରୁ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ ହୋଇଥିଲା । ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ, ଧାରା ୩୭୦ କାଶ୍ମୀରକୁ ଭାରତ ସହ ଯୋଡୁନଥିଲା । କିନ୍ତୁ ଏହି ଧାରା ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀର ଭାରତର ଏକ ଅଙ୍ଗ ପାଲଟିଛି । ଏହି ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି ସରକାରଙ୍କୁ ଦେଶବାସୀ ସର୍ବଦା ମନେ ରଖିବେ ବୋଲି କହିଛନ୍ତି ।ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଶାହା । ଜମ୍ମୁ-କାଶ୍ମୀରବାସୀ ଯାହା ମାଗିବେ ତାଙ୍କୁ ଯୋଗାଇ ଦିଆଯିବ । ଏପରିକି କାଶ୍ମୀର୍ ବାସୀ ୧୦୦ ମାଗିଲେ, ଆମେ ୧୧୦ ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ଶାହା କହିଛନ୍ତି । ଏହାପୂର୍ବରୁ ଗତକାଲି ରାଜ୍ୟସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା । ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ ଭୋଟ ପଡିଥିବା ବେଳେ ବିପକ୍ଷରେ ୬୧ଟି ଭୋଟ ପଡିଥିଲା ।
