ଭୁବନେଶ୍ୱର : ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଜଳ ମାତ୍ରାଧିକ ପ୍ରଦୂଷିତ । ଏଥିରେ ଶିଳ୍ପସଂସ୍ଥାରୁ ନିର୍ଗ ବର୍ଜ୍ୟବସ୍ତୁ ବା ଟୋଟାଲ୍ ସସ୍ପେଣ୍ଡେଡ୍ ସଲି୍ (ଟିଟିଏସ୍) ଓ ସିଆନାଇଡ୍ ମାତ୍ରା ନଦୀ ଜଳରେ ଅଧିକ ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ମାନାଧିକାର କମିଶନଙ୍କ ନିକଟରେ ଦାଖଲ ରିପୋର୍ଟରୁ ଜଣାପଡ଼ିଛି । ତେବେ ବୋର୍ଡ ପକ୍ଷରୁ ଦିଆଯାଇଥିବା ଉପାୟ ଅଲମ୍ବନ କରି ନିର୍ଗତ ବର୍ଜ୍ୟବସ୍ତୁ ପରିମାଣ ହ୍ରାସ କରବାକୁ କମ୍ପାନୀଗୁଡ଼ିକୁ ତାଗିଦ୍ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ଦାଖଲ ରିପୋର୍ଟରେ କୁହାଯାଇଛି । ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଥିବା ଏବଂ ଏଥିଯୋଗୁଁ ନଦୀକୂଳ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଓ ଚାଷକାମ ପ୍ରଭାବିତ ହେଉଥିବା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । କମିଶନ ଏହି ଅଭିଯୋଗକୁ ଗ୍ରହଣ କରି ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଯାଜପୁର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଥିଲେ । ଏହାର ଜବାବରେ ପ୍ରଦୂଷଣ ବୋର୍ଡ ପକ୍ଷରୁ କମିଶନଙ୍କ ନିକଟରେ ଏ ନେଇ ଏକ ରିପୋର୍ଟ ଦାଖଲ ହୋଇଛି । ରିପୋର୍ଟରେ କୁହାଯାଇଛି, କମିଶନଙ୍କ ନିର୍ଦ୍ଦେଶନାମା ପରେ ପ୍ରଦୂଷଣ ବୋର୍ଡ ବିଶେଷଜ୍ଞମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଏହି ଟିମ୍ ଆବେଦନକାରୀଙ୍କ ଅଭିଯୋଗ ଉପରେ ତଦନ୍ତ କରିଥିଲା । ଯାଜପୁର ଜିଲ୍ଲାର ତିନିଟି ପ୍ରମୁଖ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍, ଜିନ୍ଦଲ ଷ୍ଟେନ୍ଲେସ୍ ଷ୍ଟିଲ୍ ଲିମିଟେଡ୍ ଓ ଭିସା ଷ୍ଟିଲ୍ ଲିମିଟେଡ୍ ବାହ୍ମଣୀ ନଦୀକୁ ବର୍ଜ୍ୟ ଜଳ ଗଣ୍ଡନାଳ ଦେଇ ଛାଡ଼ିଥା’ନ୍ତି । ଗଣ୍ଡାନାଳର ବିଭିନ୍ନ ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରିବାରୁ ଜଣାପଡ଼ିଛି ଯେ, ଏହି ଜଳରେ ସିଆନାଇଡ୍ ପରିମାଣ ନିର୍ଦ୍ଧାରିତ ମାପ (୦.୫ ମିଲିଗ୍ରାମ/ଲିଟର) ଠାରୁ ଅଧିକ । ଆସପଣ୍ଡ୍ ବ୍ୟବହାର କରି ବର୍ଜ୍ୟଜଳ ନିର୍ଗତକୁ ରୋକିବା ଲାଗି ଜିନ୍ଦଲ କମ୍ପାନୀକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ କୁହାଯାଇଚି । ସେହିପରି ଏହିବର୍ଷ ଶେଷ ସୁଦ୍ଧା ଜିରୋ ଡିସ୍ଜାର୍ଚଭିତ୍ତିକ ବର୍ଜ୍ୟଜଳ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବା ଲାଗି ନୀଳାଚଳ ଇସ୍ପାତ ନିଗମ ସମେତ ସବୁ କମ୍ପାନୀକୁ କୁହାଯାଇଛି । ଆସନ୍ତା ମାସ ଶେଷ ସୁଦ୍ଧା ବର୍ଷାଜଳ ଅମଳ ପୋଖରୀ (ରେନ୍ ୱାଟର ହାର୍ଭେଷ୍ଟିଂ ପଣ୍ଡ) ପ୍ରସ୍ତୁତ କରିବା ଲାଗି ଭିସା ଷ୍ଟିଲ୍କୁ ସମୟ ଦିଆଯାଇଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନ୍ଏଚ୍ଆର୍ସିଙ୍କୁ ଜଣାଇଛି ।
