ବାରିପଦା(ନିରପେକ୍ଷ ଖବର)ବିଶ୍ଵଜିତ୍ ଭୂୟାଁ : ତା-୦୮/୦୮-କୋର୍ଟ ମାନଙ୍କରେ ବହୁ ଦିନ ଧରି ଚାଲୁଥିବା ମାମଲା ଗୁଡିକର କିପରି ତୁରନ୍ତ ସମାଧାନ କରାଯାଇ ସାମାଜିକ ନ୍ୟାୟ ପ୍ରଦାନ କରାଯାଇପାରିବ ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରାଯାଇଛି। ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ଖୁବଶୀଘ୍ର ୬୫ଟି ନୂତନ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେଥି ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ୩ ଗୋଟି ନୂତନ କୋର୍ଟ ଖୋଲିବାକୁ ଯାଉଛି। ଏହି ବାବଦରେ ରାଜ୍ୟ ହାଇକୋର୍ଟଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲା ଜଜ ମାନଙ୍କୁ ନିର୍ଦ୍ଦେଶ ପତ୍ର ଦିଆଯାଇଛି। ଜିଲ୍ଲାର ଠାକୁରମୁଣ୍ଡା, ଯଶୀପୁର ଏବଂ ରାସଗୋବିନ୍ଦପୁର ଠାରେ ଏହି କୋର୍ଟ ଖୋଲିବାକୁ ଯାଉଛି।ଏହି କୋର୍ଟ ତିନୋଟି କନିଷ୍ଠ ଶ୍ରେଣୀ ସିଭିଲ ଜର୍ଜ କୋର୍ଟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ। ଏ ସମ୍ପର୍କରେ ଆନୁସଂଗିକ ସୁବିଧା ଓ କାର୍ଯ୍ୟ ଆରମ୍ଭର ତଦାରଖ କରିବାକୁ ରାଜ୍ୟ ହାଇକୋର୍ଟଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲା ଜର୍ଜ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

