ଧାର୍ଯ ଲକ୍ଷ୍ୟ ଠାରୁ ବହୁ ଦୂରରେ ସୂବର୍ଣ୍ଣର୍ରେଖା ବୃହତ ଜଳସେଚନ ପ୍ରକଳ୍ପ
କ୍ଷତିଗ୍ରସ୍ତ ଚାଷୀଙ୍କ ଥଇଥାନ ସମସ୍ୟା ଲକ୍ଷ୍ୟ ହାସଲ ଦିଗରେ ସାଜିଛି ମୁଖ୍ୟ ଅନ୍ତରାୟ
ବାରିପଦା (ନିରପେକ୍ଷ ଖବର) ତା୧୮/୦୮-ଓଡିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ବୃହତ ଜଳ ସେଚନ ପ୍ରକଳ୍ପ ସୂବର୍ଣ୍ଣର୍ରେଖା ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଆସୁଥିବା ବେଳେ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ବା ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଜମିରେ ଜଳସେଚନର ବନ୍ଦୋବସ୍ତ ହୋଇପାରୁ ନଥିବାର ଦେଖାଯାଇଛିି । ଏବାବଦରେ ବିଭିନ୍ନ ସମୟରେ ଆପତି ଅଭିଯୋଗ ମାନ ଉଠୁଥିଲେ ମଧ୍ୟ, ବିଭିନ୍ନ ସମୟରେ ବିରୋଧି ଦଳ ସରକାରଙ୍କୁ ଏନେଇ ଘେରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏହା କେବଳ ଏକ ରାଜନୈତିକ ବିବାଦ ହୋଇ ରହି ଯାଉଛି । ତେବେ ଏହି ବୃହତ ଜଳସେଚନ ପ୍ରକଳ୍ପ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ସଫଳ କାହିଁକି ହୋଇପାରୁ ନାହିଁ ? ସେ ବିଷୟରେ ଖୁବ କମ ଲୋକ ଗବେଷଣା କରୁଥିବାର ଦେଖାଯାଉଛି । ସୂଚନା ମୁତାବକ ଓଡିଶାରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା, ବାଙ୍ଗିରିପୋଷୀ, କୁଳିଅଣା, ବାରିପଦା, ଶ୍ୟାମାଖୁଂଟା, ବଡସାହି, ବେତନଟି, ଶୁଳିଆପଦା, ମରୋଡା, ରାସଗୋବିନ୍ଦପୁର, ଏବଂ ବାଲେଶ୍ୱର ଜିଲ୍ଲାର ବସ୍ତା ଓ ଜଲେଶ୍ୱର ବ୍ଲକର ମୋଟ ୬୯,୯୩୩ ହେକ୍ଟର ଜମିରେ ଜଳସେଚନ ହେବାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ୪୮,୧୨୬ ହେକଟର ଜମିରେ ଜଳସେଚନ ପାଇଁ କେନାଲ ନିର୍ମାଣ ଆଦି ଭିତିଭୂମୀ କାର୍ଯ୍ୟ ସମ୍ପୂର୍ଣ୍ଣର୍ ହୋଇଛି । ଏବଂ ସେଥି ମଧ୍ୟରୁ ମାତ୍ର ୨୧, ୮୨୯ ହେକଟର ଜମୀରେ ଚଳିତ ୨୦୧୯-୨୦ ଖରିଫ ରୁତୁରେ ଜଳସେଚନର ସୁବିଧା କରାଯାଇପାରିଛି । ତେବେ ସେଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ବସ୍ତା ଓ ଜଲେଶ୍ୱର ଦୁଇଟିଯାକ ବ୍ଲକରେ ଆଦୌ ଜଳସେଚନର ସୁବିଧା ହୋଇ ପାରିନଥିବା ବେଳେ ମୟୂରଭଞ୍ଜର ରାସଗୋବିନ୍ଦପୁର ଓ ମୋରୋଡାରେ ମଧ୍ୟ ଜଳସେଚନ ସୁବିଧା ଉପଲବ୍ଧ ଆଦୌ ହୋଇ ପାରିନଥିବାର ଜଣାଯାଇଛି । ତେବେ ମରୋଡା ବ୍ଲକର ୭,୨୨୩ ହେକ୍ଟର ଜମିରେ ଜଳସେଚନ ପାଇଁ କେନାଲ ଆଦି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବାସ୍ତବରେ ଜଳସେଚନ ସୁବିଧା ଉପଲବ୍ଧ ହୋଇପାରି ନାହିଁ । ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ପ୍ରକଳ୍ପ ବହୁ ଦୂରରେ ରହିଛି ଏବଂ ଏଥିପାଇଁ କଣ ବାସ୍ତବରେ ସମସ୍ୟା ସୃଷ୍ଟି କରୁଛି ତାହା ସରକାର ଏବଂ ଜନତାଙ୍କର ବୁଝିବା ର ସମୟ ଆସିଛି । ମୁଖ୍ୟତଃ ମୟୂରଭଞ୍ଜ ଏକ ପାହାଡିଆ ଜଙ୍ଗଲ ପରିବେଷ୍ଟିତ ଜିଲ୍ଲା ହୋଇଥିବାରୁ ଏଠାରେ ବିଭିନ୍ନ ସ୍ଥାନରେ ଫରେଷ୍ଟ ଜମୀ ଉପରେ କେନାଲ ମାନ ଯାଉଥିବାରୁ ସମସ୍ୟା ସୃଷ୍ଟି କରିଥାଏ । ଫରେଷ୍ଟ ଡାଇଭରର୍ସନ ନାମରେ ବିଭାଗ ବିଭାଗ ମଧ୍ୟରେ ବୁଝାମଣାର ଅଭାବରୁ ଅନେକ ସମୟରେ ଫାଇଲ ଅଟକିିରହି ଅନୁମତି ଅଭାବରୁ କାମରେ ବ୍ୟାଘାତ ସଷ୍ଟିି ହୋଇଥାଏ । ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାକାର ଢିପ ତଥା ଉଚ୍ଚା ଜମି ଗୁଡିକର ସରକାରୀ ବେଂଚମାର୍କ ଭେଲ୍ୟୁଏସନ ଯଥେଷ୍ଟ କମ ଥିବାରୁ ସରକାରୀ ଥଇଥାନ ଓ ପୂନର୍ବାସ ନିତି ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯେତିକି ପରିମାଣର ଯତିପୁରଣ ମିଳେ ତାହା ଯଥେଷ୍ଟ କମ ହୋଇଥାଏ । ଏଣୁ ଅନେକ ସମୟରେ କ୍ଷତିଗ୍ରସ୍ତ ଚାଷୀ ମାନେ କ୍ଷତିପୁରଣ ଅର୍ଥ ସରକାରଙ୍କ ଠାରୁ ଗ୍ରହଣ କରନ୍ତି ନାହିଁ ବା ଜମି ଛାଡି ନଥାନ୍ତି । ବରଂ ଆନ୍ଦୋଳନ କରି ନିର୍ମାଣ ହେଉଥିବା କାର୍ଯ୍ୟ ଅଟକ କରିଥାନ୍ତି । ଫଳରେ ନିର୍ମାଣ କାର୍ଯ୍ୟ ରେ ବ୍ୟାଘାତ ସଷ୍ଟି ହୋଇଥାଏ । ଅନେକ ସମୟରେ କ୍ଷତିଗ୍ରସ୍ତ ଚାଷୀ ମାନେ ନିଜ ଜମୀ ବାବଦରେ କୋର୍ଟରେ ମାମଲା ଦାଏର କରିଥାନ୍ତି । କୋର୍ଟରେ ମାମଲା ମାନ ଦିର୍ଘବର୍ଷ ଧରି ଚାଲୁଥିବାରୁ ଏହାର ଫଇସଲା ଶୀଘ୍ର ହେଉନଥିବାରୁ ମଧ୍ୟ ନିର୍ମାଣକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଅନେକ ସମୟରେ ଛୋଟ ଛୋଟ ଶାଖା କେନାଲ ଗୁଡିକୁ ଲୋକେ ମନଇଚ୍ଛା ବେନିୟମ ଭାବରେ ଏଠିିସେଠି ନିଜର ସୁବିଧା ମୁତାବକ କାଟି ପକାଉଥିବାରୁ ମଧ୍ୟ ପାଣି ତଳମୁଣ୍ଡ କୁ ସଠିକ ପରିମାଣରେ ପହଂଚି ପାରେ ନାହିଁ । ଏହିଭଳି ବହୁ ସମସ୍ୟା ରହିଥିବାର ଜଣାଯାଏ । ତେବେ ଦଳ ମତ ନିର୍ବିଶେଷରେ ଜିଲ୍ଲାରେ ଜଳସେଚନର ସୁବିଧାକୁ ଉପଲବ୍ଧ କରିବା ପାଇଁ ସମସ୍ତେ ପ୍ରକଳ୍ପ ନିର୍ମାଣରେ ଅନ୍ତରାୟ ସୃଷ୍ଟିି କରୁଥିବା ଏହି ସବୁ ମୁଖ୍ୟ ସମସ୍ୟା ଗୁଡିକୁ କିଭଳି ସମାଧାନ କରାଯାଇପାରିବ ଏବଂ ସରକାର ମଧ୍ୟ ଥଇଥାନ ଓ ପୁନର୍ବାସ ଅଧିନିୟମକୁ ସ୍ଥଳ ବିଶେଷରେ ପରିବର୍ତନ କରି କିଭଳି ଯତିଗ୍ରସ୍ତ ଚାଷୀଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ ସେଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଲେ ଏହି ବୃହତ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱୀତ ହେବା ସହିତ ଏହା ନିଜର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବ ଏବଂ ଚାଷୀ ଉପକୃତ ମଧ୍ୟ ହେବେ । ନଚେତ କେବଳ କାଦୁଅ ଫିଙ୍ଗା ନିତି ଧରିଲେ ଏହି ବୃହତ ଜଳସେଚନ ପ୍ରକଲ୍ପ ଆହୁରି ବହୁ ବର୍ଷ ଧରି ଅପର୍ଣ୍ଣାଙ୍ଗ ହୋଇ ରହିଥିବ ଏଥିରେ ଆଦୌ ସଂଦେହର ଅବକାଶ ନାହିଁ ।