ବାରିପଦା(ନିରପେକ୍ଷ ଖବର) ତା-୨୬/୦୮- ବାରିପଦା ସହର ଏକ ଲଗାଣ ବର୍ଷା ଯେ ସହିବାକୁ ଅସମର୍ଥ ତାହା ଆଜି ଧରା ପଡ଼ିଯାଇଛି।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲୋ ପ୍ରେସରରେ ପରିଣତ ହେବା ଦ୍ୱାରା ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ଲାଗି ରହିଛି। ମୟୁରଭଞ୍ଜ ଜିଲ୍ଲାର ସମେତ ବାରିପଦାରେ ସୋମବାର ଠାରୁ ଲଗାଣ ବର୍ଷା ଲାଗି ରହିଛି। ବର୍ଷା ଫଳରେ ବୁଢାବଳଙ୍ଗ ନଦୀରେ ବନ୍ୟା ପାଣି ଭରି ରହିଛି। ନଦୀ ପାଖକୁ ଲାଗି ରହିଥିବା ବସ୍ତି ଅଞ୍ଚଳରେ ମଧ୍ୟ ବନ୍ୟା ପାଣି ମାଡ଼ି ଆସିଥିଲା। ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲାଗି ରହିଥିବା ତୁହାକୁ ତୁହା ବର୍ଷା ଯୋଗୁଁ ମଙ୍ଗଳବାର ରାତ୍ରିରେ ସହର ମଧ୍ୟକୁ ପାଣି ପ୍ରବେଶ କରିଥିଲା। ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳର ଲୋକ ଜଳବନ୍ଦୀ ଯୋଗୁଁ ଘର ବାହାରକୁ ଯାଇ ପାରୁନାହାନ୍ତି। ଏହି ଦୁଇ ନଦୀରେ ଜଳସ୍ତର ବଢିବା ଦ୍ୱାରା ବାରିପଦା ସହର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଥିଲା। ଏହା ଦ୍ୱାରା ବାରିପଦା ପୋୖରପରିଷଦ ଅଞ୍ଚଳର ଅଧିକାଂଶ ୱାର୍ଡ ଗୁଡିକ ପାଣି ଘେରରେ ରହିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ। ସହରର ଏ ମୁଣ୍ଡରୁ ଆରମ୍ଭ କରି ସେ ମୁଣ୍ଡ ଯାଏ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଜଳମଗ୍ନର ଚିତ୍ର।


କେଉଁଠି ଘର ଭିତରେ ପାଣି ପଶିଗଲାଣି ତ କେଉଁଠି ରାସ୍ତା ବୁଡ଼ି ଯାଇଥିିବାରୁ ଲୋକେ ପଦାକୁ ବାହାରି ପାରୁ ନାହାଁନ୍ତି। ସହରର ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଉବୁଟୁବୁ ହେଉଥିଲା। ମିଳିଥିବା ସୂଚନା ଅନୁଯାୟୀ, ବାରିପଦା ସହରର ବିଭିନ୍ନ ଅଂଚଳରେ ବର୍ଷା ହେବା ଫଳରେ ୱାର୍ଡ ନମ୍ବର ୩, ୭, ୮, ୯, ୧୦, ୧୧, ୧୫, ୧୭, ୧୯ ଆଦି ସହରର ବହୁ ଅଞ୍ଚଳରେ ବର୍ଷା ପାଣିକୁ ନେଇ ଭାଳେଣି ପଡିଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ସମେତ ବାରିପଦା ସହରରେ ଘର ଭୁଶୁଡ଼ି ପଡ଼ିବା ସହିତ କ୍ଷତିଗ୍ରସ୍ତ ବି ହୋଇଛି। ବାରିପଦା ସହରର ମଧୁବନ ଅଞ୍ଚଳରେ ଥିବା ଏକ କୋଠା ଘର ବର୍ଷା ଯୋଗୁଁ ଭାଙ୍ଗି ପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୧୨୨ ଦଶମିକ ୧୮ ମିଲିମିଟର ବୃଷ୍ଟିପାତ ହୋଇଥିବା ବେଳେ ବାରିପଦା ବ୍ଲକରେ ସର୍ବାଧିକ ୨୦୭ ମିଲିମିଟର ବୃଷ୍ଟିପାତ ହୋଇଛି। ଉପର ମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଫଳରେ ବୁଢାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ସତର୍କ ସଂକେତ ପହଞ୍ଚିଛି। ତେବେ ଗତକାଲି ଲଘୁଚାପ ଜନିତ ବର୍ଷା କମିଥିବା ବେଳେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଆଦି ନଦୀର ଉପର ମୁଣ୍ଡ ଅଞ୍ଚଳରେ ନଦୀର ଜଳସ୍ତର କ୍ରମଶଃ ବଢିଛି।ଏଥି ସହିତ ଜିଲ୍ଲାର ବିଭିନ୍ନ ରାସ୍ତା ସମେତ ଜାତୀୟ ରାଜପଥ ଓ ପୋଲ ମାନଙ୍କ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଯାହା ଫଳରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିର୍ଣ୍ଣ ହୋଇଛି। ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜ ପଥରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଜିଲ୍ଲାର ସୁକୃଳିରୁ କେନ୍ଦୁଝରକୁ ଯୋଗାଯୋଗ ବିଛିର୍ଣ୍ଣ ହୋଇଯାଇଛି। ୪୯ ନମ୍ବର ଜାତୀୟ ରାଜପଥ ଧକଟା ସାନପୋଲ ଠାରେ ଡାଇଭର୍ଶନ ତଳକୁ ଟ୍ରକ ଖସିବା ଫଳରେ ପାଣି ସ୍ରୋତରେ ଜଣେ ମୃତ ହେବା ସହିତ ଜଣେ ନିଖୋଜ ହୋଇଯାଇଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ଏହା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖିଯାଇଛି। ଜିଲ୍ଲା ପ୍ରଶାସନ ଏବଂ ମ୍ୟୁନିସିପାଲଟି ତରଫରୁ ପ୍ରଭାବିତ ଲୋକ ମାନଙ୍କୁ ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ବାରିପଦା ସହରରେ ଡ୍ରେନେଜ ବ୍ୟବସ୍ଥାରେ ତୃଟି ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ତେବେ କେଉଁ ତ୍ରୁଟି ଯୋଗୁଁ ଗୋଟିଏ ଲଗାଣ ବର୍ଷାରେ ଆଜି ବାରିପଦା ସହରର ଲୋକ ଆଖିରୁ ଲୁହ ଗଡୁଛି ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଲୋକେ କ’ଣ କରିବେ ତାହା ସ୍ଥିର କରି ପାରୁ ନାହାଁନ୍ତି। ଠିକ ଭାବେ ଡ୍ରେନେଜ ହୋଇ ନ ଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ଏପରି କଦର୍ଯ୍ୟ ଅବସ୍ଥା ସୃଷ୍ଟି ହେଉଥିବାର ଅଭିଯୋଗ ମଧ୍ୟ ହୋଇଛି। ତୁରନ୍ତ ବର୍ଷାଜଳ ନିଷ୍କାସନ ପାଇଁ ବାରିପଦା ପୋୖରପରିଷଦ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି।
