ବାରିପଦା(ନିରପେକ୍ଷ ଖବର) ତା-୩୦/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ।ସେହି ନିଖୋଜ ହୋଇଥିବା ମହିଳା ଜଣଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ମାନଙ୍କ ଦ୍ବାରା ଜଡିଦା-ଆଗରିଆ ରାସ୍ତା ନିକଟ ପାଳଜମି ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି।ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ ଗାଡ଼ିରେ ବଡ଼ସାହି ଡ଼ାକ୍ତରଖାନାକୁ ଆରଟିପିସିଆର କୋଭିଡ଼ ପରୀକ୍ଷା ପାଇଁ ଯାଇ ଫେରୁଥିଲେ। ତେବେ ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ବିତନୁ ପୋଲ ଉପରେ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ିଟି ରାସ୍ତା ପାରି ନହୋଇ ସମସ୍ତଙ୍କୁ ଓହ୍ଲାଇ ଦେଇ ଫେରିଯାଇଥିଲା। ୪ଜଣ ଚାଲିଚାଲି ପୋଲ ପାରି ହେଉଥିବାବେଳେ ମହିଳା ଜଣଙ୍କ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ଜଳ ସ୍ରୋତ ରେ ଭାସିଯାଇଥିବା ମହିଳା ଜଣଙ୍କୁ ଖୁବ ଖୋଜା ଖୋଜି କରାଯାଇଥିଲା।କିନ୍ତୁ ମହିଳା ଜଣଙ୍କ କୋଣସି ସୂଚନା ମିଳିନଥିଲା।
