ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ….
ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥବ ଶରୀର...
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୧୦ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଯାଇଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରଖାଯାଇଥିଲ। ହେଲେ ଶେଷରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।ଆଜି ମହାରଥୀଙ୍କର ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର ଶେଷ ହୋଇଛି । ଶୋକାକୂଳ ପରିବେଶରେ ମହାରଥୀଙ୍କୁ ଶେଷ ବିଦାୟ ଦେଲେ ପରିବାରବର୍ଗ ଓ ପ୍ରିୟଜନ । ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ଘୋଡାଇ ଦିଆଯାଇଥିଲା । ଶେଷକୃତ ସମୟରେ ପରିବାର ଲୋକଙ୍କ ସମେତ ଅନେକ ସମର୍ଥକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପଞ୍ଚଭୂତରେ ଲୀନ ହୋଇଗଲା ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା ।ସେଠାରେ ବିଭିନ୍ନ ରାଜନୈତିକ ଦଳର ନେତା ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ ଓ ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା ସେଠାରେ ଦଳୀୟ କର୍ମୀ ଓ ନେତା ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା ପାର୍ଥିବ ଶରୀର ।