*ତୁମେ କଲେ ଲିଳା, ଆମେ କଲେ କିଳା
ବାରିପଦା(ନିରପେକ୍ଷ ଖବର)ତା-୦୬/୦୭-ସାମାଜିକ ଦୂରତା ସବୁ ଚୁଲିକୁ ଯାଉ। ଆମର କଣ ଗଲା। ଆମେ ପରା ନେତା। ଆମେ ଆଇନ ତିଆରି କରୁଛୁ , ଯାହା ଇଛା ତାହା କରିବୁ। ମନା କିଏ କରିବ ? କରୋନା ପାଇଁ ସାରା ଦେଶ କାନ୍ଦୁଥିବା ବେଳେ ମୟୁରଭଞ୍ଜ ନେତାମାନେ କିନ୍ତୁ ନିଜ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ସବୁକିଛି ନୀତି ନିୟମକୁ ଦଳିମକଚି ଦେଉଛନ୍ତି। ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଆଉ ମାସ୍କ ପିନ୍ଧିବା ଏକ ମାତ୍ର ମାଧ୍ୟମ ହୋଇ ଠିଆ ହୋଇଛି। ତଥାପି ନେତାମାନେ ଏହାକୁ ଖାତିର କରିବାକୁ ନାରାଜ। ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ଉପରେ ଆଇନ ତିଆରି କରି ଚାଲିଛନ୍ତି। ସାଧାରଣ ଜନତାଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ କୌଣସି ସ୍ଥାନରେ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସମସ୍ତ ସିନେମା ହଲ, ପାର୍କ, ସପିଙ୍ଗ ମଲ ଆଦିକୁ ବନ୍ଦ ରଖିଥିବା ବେଳେ ମେଳା ମହୋତ୍ସବ, ବିବାହବ୍ରତ ଆଦିକୁ ନିରାଡ଼ମ୍ବନରେ ପାଳନ କରାଯାଉଛି। କରୋନାକୁ ମୁକାବିଲା କରିବାରେ କିଏ ହେବ ଏକ ନମ୍ବର, ସେନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ପ୍ରତିଯୋଗିତା ଲାଗିଥିବା ଆଲୋଚନା ହେଉଛି। ତଥାପି ଉଭୟ ବିଜେଡି ଓ ବିଜେପି ଦଳର ଛାମୁଆ ନେତାମାନେ ଏହାକୁ ଖାତିର ନ କରି ନିଜ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇବାରେ ବ୍ୟସ୍ତ। ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ରାଜନୈତିକ ନେତାମାନେ ସାମାଜିକ ଦୂରତା ଉଲଘଂନ କରୁଥିବା ଘଟଣା ପ୍ରଘଟିତ ହେବାପରେ ଉଭୟ ଏବେ ପରସ୍ପରକୁ ଦୋଷ ଠେଲା ଠେଲିରେ ଲାଗିପଡିଛନ୍ତି। କିଏ କରୋନା ସଚେତନତା ଆଳରେ ସାମାଜିକ ଦୂରତା ରଖୁନି ତ ଆଉ କିଏ ଦଳୀୟ ପ୍ରଚାର ପାଇଁ ସାମାଜିକ ଦୂରତାକୁ ଚୁଲିକୁ ଠେଲି ଦେଲାଣି। ସେ ବିଜେଡି ହେଉ ଅବା ବିଜେପି, ସମସ୍ତେ ଗୋଟିଏ ନାଉର ମଞ୍ଜି ବୋଲି ସାଧାରଣରେ ଆଲୋଚନା ହେଉଛି। ହେଲେ ସାଧାରଣ ଜନତାଙ୍କ ପାଖରେ ସତୀ ସାବିତ୍ରୀ ପରିଚୟ ଦେବା ପାଇଁ ଏ ଘଟଣାକୁ ନେଇ ଥାନାରେ ପହଁଚାଇଲେଣି। ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ବି ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାରେ ଲାଗିଛନ୍ତି।


ସୂଚନାଯୋଗ୍ୟ, ଲକଡାଉନରେ ଘର ବାହୁଡା ପ୍ରବାସୀଙ୍କର ଭଲମନ୍ଦ ବୁଝିବା ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଓଡିଶା ‘ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଗତ ଜୁନ ୧ରେ ମୟୁରଭଞ୍ଜ ଆସିଥିଲେ।ସେତେବେଳେ କରୋନା କଟକଣାକୁ ସେ ଖୁଲମଖୁଲା ଉଲଘଂନ କରି ଦଳୀୟ କର୍ମକର୍ତାଙ୍କୁ ନେଇ ଭିଡ଼ ଜମାଇଥିଲେ। ସତେ ଯେମିତି ଏକ ଅଘୋଷିତ ସମାବେଶ ଭଳି ଦୃଶ୍ୟମାନ ହୋଇଥିଲା। ସାମାଜିକ ଦୂରତାକୁ ଫୁ କରି ଦିନ ଦ୍ଵିପ୍ରହରରେ ସରକାରୀ କଟକଣାକୁ ଅବମାନନା କରିଥିବା ଅଭିଯୋଗ ବି ଉଠିଥିଲା।

ବିଜେଡିର କେବଳ ଏହି ଜଣେ ନେତା ନୁହଁନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ମଧ୍ୟ୍ୟ ଏହାକୁ ଅବମାନନା କରିଥିବା ଅଭିଯୋଗ ହୋଇଛି। ଗତ ଜୁନ ୨୮ରେ ସେ ବାରିପଦା ଆସି ସ୍ଥାନୀୟ ସର୍କିଟ ହାଉସରେ ଏକ ଦଳୀୟ ବୈଠକରେ ଯୋଗ ଦେବା ସହ ସାମାଜିକ ଦୂରତା ନ ରଖି ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ ଙ୍କ ସହିତ ଅନ୍ୟ ଦଳୀୟ କର୍ମକର୍ତ୍ତାଙ୍କ ଗ୍ରହଣରେ ଶ୍ରୀ ଦାସ ନିଜ ଜନ୍ମଦିନ ପାଳନ କରିଥିବା ଫୋଟ ସୋସିଆଲ ମିଡିଆରେ ଘିରଘିର ହୋଇ ବୁଲୁଛି। ହେଲେ ଦଳୀୟ ନେତା କିନ୍ତୁ ଏହାକୁ ମାନିବାକୁ ନାରାଜ।

ଠିକ ସେହିପରି ଭାରତୀୟ ଜନତା ପାର୍ଟିର ମୟୁରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ଓ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସରକାରଙ୍କ ନିର୍ଦ୍ଧେଶକୁ ବାଏଁ ବାଏଁ କରି ଉଡେଇ ଦେଉଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତୀ ଅବସରରେ ନିଜ ସରକାରର ସଫଳତା ବଖାଣିବା ପାଇଁ ଗୃହ ସମ୍ପର୍କ ଅଭିଯାନ ନାଁରେ ଏମାନେ ସାମାଜିକ ଦୂରତାକୁ ଦଳିମକଚି ଦେଉଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି। ଖାଲି ଏତିକି ନୁହେଁ ବିଜେପିର ନେତାମାନେ କରୋନା ସଚେତନତା ଆଳରେ ଦଳୀୟ ପ୍ରଚାର କରୁଥିବା ଅଭିଯୋଗ ମଧ୍ୟ ଉଠୁଛି। କିନ୍ତୁ ଏମାନେ ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଏନେଇ ଆଜି ମୟୁରଭଞ୍ଜ ବିଜେପି ଏକ ସାମ୍ବାଦିକ ସମ୍ବିଳନୀ ଡାକି ଦଳୀୟ ନେତାମାନେ ସଫେଇ ଦେଇ ଓଲଟା ବିଜେଡି ନେତାଙ୍କ ବିରୋଦ୍ଧରେ ବର୍ଷିଛନ୍ତି, ଏବଂ କହିଛନ୍ତି ସାମାଜିକ ଦୂରତା ତୁମେ ନ ରଖିଲେ ଲିଳା, ଆମେ କଲେ କିଳା, ଏଥିରୁ ଆପଣମାନେ ଅନୁମାନ କରନ୍ତୁ କିଏ ଠିକ କହୁଛି, ଆଉ କିଏ ଭୁଲ କହୁଛି? । ବିଚାର ଆପଣଙ୍କର….

ମହାମାରି କରୋନାର ଭୟାଵହତା ସମ୍ପର୍କରେ ସବୁ ଜାଣିଶୁଣି ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କାରାଯାଉଥିବା କଟକଣାକୁ ଉଭୟ ଶାସକ ଦଳର ନେତାମାନେ କିନ୍ତୁ ଖୁଲମଖୁଲା ଉଲଘଂନ କରୁଛନ୍ତି। ହେଲେ କେହି ଦୋଷ ମୁଣ୍ଡେଇବାକୁ ରାଜି ନୁହନ୍ତି। ପରସ୍ପର ମଧ୍ୟରେ ଆକ୍ଷେପ ଓ ପ୍ରତ୍ୟାକ୍ଷେପ କରିବାରେ ବ୍ୟସ୍ତ। ଯାହାକୁ ନେଇ ମୟୁରଭଞ୍ଜ ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି। ଗତ ରବିବାର ବିଜେପି ସାମାଜିକ ଦୂରତା ଉଲଘଂନ କରୁଥିବା ଅଭିଯୋଗ କରି ଆଦିବାସୀ ଜାଗରଣ ମଞ୍ଚ ପକ୍ଷରୁ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ବିଜେପି ମଧ୍ୟ ବିଜେଡି ଉପରେ ଆଇନ ଅମାନ୍ୟ ଅଭିଯୋଗ ଆଣିଛି। ଏହାକୁ ନେଇ ରାଜନୀତି ଆହୁରି ସରଗରମ ହୋଇଉଠିଛି। ବିଜେଡି ନେତା ମାନେ ବିଜେପି ନେତାଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଜେପି ମଧ୍ୟ ଅନୁରୂପ ଭାବେ ସୋମବାର ବିଜେଡି ନେତାଙ୍କୁ ଟାର୍ଗେଟ କରିଛି। ଏଥିରୁ ଦେଖିବାକୁ ବାକି ରହିଲା ଏହି ରାଜନୈତିକ ଲଢେଇରେ ଜିତୁଛି କିଏ ହାରୁଛି କିଏ? ତାକୁ ସାଧାରଣ ଜନତା ଚାହିଁ ବସିଛନ୍ତି… କମେଟ ବକ୍ସରେ ମତାମତ ଦେବାକୁ ଆମେ ଅନୁରୋଧ କରୁଛୁ……
