ଭୁବନେଶ୍ୱର,ନିରପେକ୍ଷ ଖବର: ତା-୨୬.୧୧.୨୦୧୯ ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ଓଡିଶା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବିଧାନ ପ୍ରତି ଅନୁରକ୍ତ ରହି କାର୍ଯ୍ୟ କରିବା ପାଇଁ ଶପଥ କରାଇଥିଲେ । ରାଜ୍ୟ ଆଇନ୍ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ଅଧିକାରୀମାନେ ସମ୍ବିଧାନକୁ ମାନି ଚଳିବା, ଏହାର ଆଦର୍ଶ ଓ ଅନୁଷ୍ଠାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ରାଷ୍ଟ୍ରୀୟ ପତାକା ଓ ଜାତୀୟ ସଂଗୀତକୁ ସମ୍ମାନ ପ୍ରଦର୍ଶନ ସହିତ ସ୍ୱାଧୀନତା ଆନ୍ଦୋଳନ ସମୟର ମହତ ଆଦର୍ଶ ଓ ପ୍ରେରଣାକୁ ମନରେ ପୋଷଣ କରିବା, ଭାରତର ପ୍ରଭୁତା,ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା, ଦେଶକୁ ରକ୍ଷା କରିବା ଓ ରାଷ୍ଟ୍ରର ସେବା କରିବା, ଧର୍ମଗତ, ଭାଷାଗତ ଓ ଆଂଚଳିକ ବା ଗୋଷ୍ଠୀଗତ ଭେଦଭାବରୁ ଊଦ୍ଧ୍ୱର୍ରେ ରହି ଭାରତର ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏକ୍ୟ ଓ ସମାନ ଭ୍ରାତୃଭାବର ବିକାଶ ଘଟାଇବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ । ଆହୁରି ମଧ୍ୟ ମହିଳାମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେବା ଭଳି କାର୍ଯ୍ୟରୁ ନିବୃତ ରହିବା, ଆମର ସଂଯୁକ୍ତ ସଂସ୍କୃତିର ଗୋରବଶାଳୀ ପରମ୍ପରାର ମହତ୍ୱକୁ ବୁଝିବା, ପ୍ରାକୃତିକ ସଂପଦ ଓ ବାତାବରଣର ସୁରକ୍ଷା, ବୈଜ୍ଞାନିକ ଦୃଷ୍ଟିକୋଣ,ମାନବଭାବ ତଥା ସଂସ୍କାରୀ ଭାବନାର ବିକାଶ କରିବା, ସାର୍ବଜନୀନ ସମ୍ପତିକୁ ସୁରକ୍ଷିତ ରଖିବା ଓ ହିଂସା ତ୍ୟାଗ କରିବା , ରାଷ୍ଟ୍ରର ସମ୍ମାନ ପାଇଁ ବ୍ୟକ୍ତିଗତ ଓ ସାମୁହିକ କାର୍ଯ୍ୟକଳାପର ସମସ୍ତ କ୍ଷେତ୍ରରେ ଉତ୍କର୍ଷ ସାଧନ କରିବା, ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠପଢିବାର ସୁଯୋଗ ଦେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନି ବିହାରୀ ବାରିକି ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଂଜନ ସେଠୀ, ଉପ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ, ଉପ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାରଣାଙ୍କ ସମେତ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅନୁରୂପ ଭାବେ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଛି । ପ୍ରକାଶ ଥାଉକି ଆଜି ଆମ ଦେଶ ଭାରତ ବର୍ଷର ୭୦ ତମ ସମ୍ବିଧାନ ଦିବସ ପାଳନ କରୁଛି । ୧୯୪୯ ମସିହା ନମ୍ଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରଣୟନ ସଭା ଏହାକୁ ଅନୁମୋଦନ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା । ଏହାକୁ ଆଧାର କରି ସାରା ଦେଶରେ ଏହି ଦିବସକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।
