ନିରପେକ୍ଷ ଖବର, ଭୁବନେଶ୍ୱର: ଗତ ମେ’ ମାସରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ସାମୁଦ୍ରିକ ବାତ୍ୟା ‘ଫନୀ’ ସୌନ୍ଦର୍ଯ୍ୟଭରା ଓଡ଼ିଶାର ଉପକୂଳକୁ ଦେଇଯାଇଛି ଅସରନ୍ତି ଦୁଃଖ ଏବଂ କରିଦେଇଛି ସୌନ୍ଦର୍ଯ୍ୟବିହୀନ । ଓଡ଼ିଶାର ଏହି କ୍ଷୟକ୍ଷତିକୁ ପୁନର୍ରୁଦ୍ଧାର କରିବା ଏକପ୍ରକାର ଜରୁରୀ ହୋଇପଡ଼ିଛି । ଏହିକ୍ରମରେ ଅଷ୍ଟ୍ରେଲିଆରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ସମୁଦାୟଙ୍କୁ ନେଇ ଅଷ୍ଟ୍ରେଲିଆଠାରେ ଗଠିତ ଜାତୀୟ ସଂସ୍ଥା ଓରିଅଜ୍ର ସଦସ୍ୟମାନେ ଓଡ଼ିଶାର ଭାଇ, ଭଉଣୀଙ୍କ ନିମନ୍ତେ ବଢାଇଛନ୍ତି ସହାୟତାର ହାତ । ଏହି ସଂସ୍ଥା ଅଷ୍ଟ୍ରେଲିଆର ଅନେକ ଗୁଡ଼ିଏ ଦେଶ ଏବଂ ଅଞ୍ଚଳଗୁଡ଼ିକରୁ ଏକତ୍ରିତ କରି ମିଳିତ ଭାବେ ୧୭,୪୧୦.୦୦ ଡଲାର (୮,୩୬,୫୫୦.୫୦ ଟଙ୍କା) ସଂଗ୍ରହ କରିପାରିଛି, ଯାହାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଫନୀ ପ୍ରଭାବିତ ଜିଲାଗୁଡ଼ିକରେ ଭିତ୍ତିଭୂମିର ପୁନର୍ରୁଦ୍ଧାର, ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ହେଉଥିବା ପ୍ରୟାସରେ ଏହି ରାଶି ଅନେକ ପରିମାଣରେ ସାହାଯ୍ୟ କରିବ ବୋଲି ଓରିଅଜ୍ ଅଷ୍ଟ୍ରେଲିଆ ଆଶାବ୍ୟକ୍ତ କରିଛି ।
ଏହି ଓଡ଼ିଆ ସମୁଦାୟ ବାତ୍ୟା ‘ଫନୀ’ର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖିଥିଲା ଏବଂ ସ୍ଥଳଭାଗ ଛୁଇଁବା ମାତ୍ରେ ଏହାର ତତ୍କ୍ଷଣାତ୍ ଦାୟିତ୍ୱ ବିଷୟରେ ମଧ୍ୟ ଅବଗତ ଥିଲା । ଯେଉଁମାନଙ୍କର ପରିବାର ପ୍ରତ୍ୟେକ୍ଷ ଭାବେ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ପ୍ରାୟ ୧ ସପ୍ତାହ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲେ ଏହି ଓଡ଼ିଆ ସମୁଦାୟ ପକ୍ଷରୁ ଉକ୍ତ ସଦସ୍ୟମାନଙ୍କୁ ନୈତିକ ସହାୟତା ପ୍ରଦାନ ମଧ୍ୟ କରାଯାଇଛି । ଓରିଓଜ୍ର ପରିଚାଳନା କମିଟି ଏକ ଫନୀ-ସହାୟତା ଗ୍ରୂପ ଗଠନ କରିଥିଲେ ଯାହାକି ଦେଶର ବିଭିନ୍ନ ସ୍ଥାନରୁ ସହାୟତା ରାଶି ସଂଗ୍ରହ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବ୍ୟକ୍ତିଗତ ସହାୟତା ବ୍ୟତୀତ, ଅନେକ ସଦସ୍ୟ ପାଣ୍ଠି ଯୋଗାଣ ନିମନ୍ତେ କାର୍ଯ୍ୟସ୍ଥଳରେ ଦ୍ୱିପ୍ରହର ଖାଦ୍ୟ / ସକାଳର ଚା’ ଭଳି ଆୟୋଜନ, କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା ଆଦି କାର୍ଯ୍ୟକ୍ରମ ଆୟୋଜନ କରି ଅନ୍ୟ ବିସ୍ତାରିତ ଅଷ୍ଟ୍ରେଲିଆନ ସମୁଦାୟଙ୍କ ନିକଟରେ ପହଞ୍ଚିପାରିଥିଲେ ।
ଏହି ଅବସରରେ ଓରିଓଜ୍ର ସଭାପତି ଶ୍ରୀ ସୁଜିତ ଜେନା କହିଛନ୍ତି ଯେ, ବାତ୍ୟା ‘ଫନୀ’ରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହୋଇଥିବା ଅମାପ କ୍ଷୟକ୍ଷତିର ପୁନର୍ରୁଦ୍ଧାର ନିମନ୍ତେ ଅନେକ ବର୍ଷ ଲାଗିଯିବ, ଆମେ ଅତିକମ୍ରେ ଯୋଗଦାନ କରିପାରିବା ଏବଂ ପୁନର୍ରୁଦ୍ଧାର କାର୍ଯ୍ୟରେ ସରକାରଙ୍କୁ ସହାୟତାର ହାତ ବଢାଇପାରିବା । ଏହି ସମୁଦାୟ ଆଗାମୀ ଦିନରେ ସହାୟତା ରାଶି ସଂଗ୍ରହରେ ନିଜର ପ୍ରୟାସ ଜାରି ରଖିବ ଏବଂ ପ୍ରଭାବିତ ହୋଇଥିବା ଲୋକମାନଙ୍କ ନିକଟରେ ପ୍ରତ୍ୟେକ୍ଷ ଭାବରେ ପହଞ୍ଚିବା ପାଇଁ ପ୍ରୟାସରତ । ଅଷ୍ଟ୍ରେଲିଆର ଏହି ଓଡ଼ିଆ ସମୁଦାୟର ସଦସ୍ୟମାନଙ୍କ ସହଯୋଗ ହେତୁ ମୁଁ ବେଶ୍ ଗର୍ବିତ ।
