ପୁରୀ (ନିରପେକ୍ଷ ଖବର): ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ହେବ ଅବଢ଼ା। ଆନନ୍ଦ ବଜାରରେ କେତେ ମୂଲ୍ୟରେ କେଉଁ ବ୍ୟଞ୍ଜନ ବିକ୍ରି ହେବ, ସୁଆର ମହାସୁଆର ମାନଙ୍କ ସହିତ ଆଲୋଚନା ପରେ ତାହା ଚୂଡ଼ାନ୍ତ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। କେବଳ ଯେ ଅବଢ଼ାର ମୂଲ୍ୟ ସ୍ଥିର କରାଯିବ ତାହା ନୁହେଁ, କୁଡୁଆର ଆକାର ଅନୁସାରେ ତା’ର ମୂଲ୍ୟ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯିବ।

ଏହାଦ୍ୱାରା ଭକ୍ତମାନେ ଉଚିତ ମୂଲ୍ୟରେ ମହାପ୍ରସାଦ ପାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।ବରିଷ୍ଠ ନାଗରିକ ଯେପରି ବିନା ଅସୁବିଧାର ସମୁଖୀନ ହୋଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା ହେବା ଉଚିତ ବୋଲି ଭକ୍ତମାନେ କହିଛନ୍ତି।ନୂଆବର୍ଷ ଦିନ ପ୍ରାୟ ୭ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସିବାର ସମ୍ଭାବନା ଅଛି। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡିଂ ସହିତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ। ଏହାପୂର୍ବରୁ ଉତ୍ତର ଦ୍ୱାର ନିକଟରେ ଥିବା ଉଠା ଦୋକାନୀଙ୍କୁ ହଟାଯିବ ବୋଲି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
