ଭୁବନେଶ୍ୱର,ନିରପେକ୍ଷ ଖବର:୨୨/୧୦/୧୯ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ରଙ୍ଗ ଓ ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ଝୋଟି ପକାଯାଏ, ତେବେ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଏହାଦ୍ୱାରା ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତିର ସୃଷ୍ଟି ହୋଇଥାଏ। ଘର ଉପରେ ମାଙ୍କ କୃପା ଦୃଷ୍ଟି ବି ପଡ଼ିଥାଏ। ଏବେ ଆସନ୍ତୁ ଜାଣିବା ବାସ୍ତୁର ନିୟମ ଅନୁଯାୟୀ କେମିତି ରଙ୍ଗୋଲି ପକାଇବେ। ଯଦି ଆପଣଙ୍କ ଘର ପୂର୍ବମୁହାଁ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି, ତା’ହେଲେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ। ଏହା ଆପଣଙ୍କ ଜୀବନରେ ସଫଳତାର ନୂଆ ମାର୍ଗ ଆଣିବାରେ ସାହାଯ୍ୟ କରିବ। ଏଥିସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଲ୍, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ। ଉତ୍ତରମୁହାଁ ହୋଇ ରହିଥିବା ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନ୍ ବନାଇ ରଙ୍ଗୋଲି ସଜାଇଲେ ଭଲ। ଏହାଦ୍ୱାରା ଜୀବନରେ ଉନ୍ନତି ହେବ। ଏହି ଦିଗ ପାଇଁ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗର ପ୍ରୟୋଗ କରି ରଙ୍ଗୋଲି ପକାନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିବ।ଦକ୍ଷିଣ-ପୂର୍ବକୁ ମୁହଁ କରିଥିବା ଘର ସମ୍ମୁଖରେ ତ୍ରିକୋଣ ଏବଂ ଦକ୍ଷିଣମୁଖୀ ଘରରେ ଆୟତାକାର ରଙ୍ଗୋଲି ତିଆରି କରିବା ଅତ୍ୟନ୍ତ ଶୁଭଦାୟକ। ଏହିଦିଗରେ ରଙ୍ଗୋଲି ପକାଇବା ପାଇଁ ଆପଣ ଲାଲ୍, ନାରଙ୍ଗୀ, ଗୋଲାପି ଓ ବାଇଗଣି ରଙ୍ଗ ବ୍ୟବହାର କଲେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଜୀବନ ହସଖୁସିରେ ଭରି ହୋଇଯିବ।
-ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତା’ହେଲେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି ରଙ୍ଗୋଲି ତିଆରି କରନ୍ତୁ। ଏଥି ସହ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ। ଅଧିକ ଭଲ ହେବ ଯଦି ପାଞ୍ଚୋଟି କୋଣ ଥିବା ରଙ୍ଗୋଲି ତିଆରି କରିବେ।ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
